ଚୁନାଘାଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର କେ. ବଲାଙ୍ଗ ଥାନା ଅନ୍ତର୍ଗତ ଚୁନାଘାଟିରେ ଦୁର୍ଘଟଣା ଥମିବାର ନାଁ ନେଉନାହିଁ। ଗତକାଲି ରାତିରେ ଏକ ଲୁହା ବୋଝେଇ ଟ୍ରକ୍‌ ଘାଟିରେ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଗାଡ଼ି ଡ୍ରାଇଭର ବୋଲି ଜଣାଯାଇଛି। ଟ୍ରକ୍‌ଟି ଲୁହା ବୋଝେଇ କରି କୋଇଡ଼ାରୁ ଛତିଶଗଡ଼ ଅଭିମୁଖେ ଯାଉଥିଲା। ବିଳମ୍ବିତ ରାତିରେ କୌଣସି କାରଣରୁ ଟ୍ରକ୍‌ଟି ଭାରସାମ୍ୟ ହରାଇ ଜାତୀୟ ରାଜପଥରୁ ତଳକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟିଥିବା ନେଇ ପୋଲିଶକୁ ଖବର ଦେଇଥିଲେ। ପୋଲିଶ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ କ୍ୟାବିନକୁ କାଟି ଡ୍ରାଇଭରଙ୍କ ମୃତଦେହ ବାହାର କରିଥିଲେ। ୫୨୦ ନମ୍ବର ଜାତୀୟ ରାଜପଥର ନବୀକରଣ ହେବା ପରେ ଘାଟି ରାସ୍ତା ଚଉଡା ହୋଇଯାଇଛି। ଫଳରେ ଲୁହା ବୋଝେଇ ଟ୍ରକ ଗୁଡିକ ଘାଟି ରୋଡ଼ରେ ଦ୍ରୁତ ଗତିରେ ଯାଉଛନ୍ତି। ଫଳରେ ବର୍ଷା ଦିନରେ ଭାରସାମ୍ୟ ହରାଇ ଗାଡି ଓଲଟି ପଡୁଛି। ମଙ୍ଗଳବାର ରାତିରେ ମଧ୍ୟ କୋଇଡ଼ାର ଚୁନାଘାଟିରେ ଏକ ଲୁହା ବୋଝେଇ ଟ୍ରକ୍ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ଜଣ ଗୁରୁତର ଆହତ ହୋଇଥିଲେ। ଟ୍ରକ୍‌ଟି ଲୁହାପଥର ବୋଝେଇ କରି କୋଇଡ଼ାରୁ ଛତିଶଗଡ଼ରର ରାଇଘର ଅଭିମୁଖେ ଯାଉଥିଲା ସମୟରେ ଚୁନାଘାଟିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଘାଟି ରୋଡ଼ରୁ ଓଲଟି ପଡ଼ିଥିଲା।

Leave A Reply

Your email address will not be published.