ବି ଆର ସ୍ପଞ୍ଜ କାରଖାନାରେ ଦୁର୍ଘଟଣା, ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ସଂଜୀବ କୁମାର ପାଢୀ : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ଲହୁଣୀପଡା ବ୍ଲକ ଅନ୍ତର୍ଗତ ରାଜାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବଡ ତୁମକଳା ଗ୍ରାମ ଠାରେ ଥିବା ବୁଧୁ ରାମ ସ୍ପଞ୍ଜ ଆଇରନ କାରଖାନା ଠାରେ ଶନିବାର ଦିନ ବିଳମ୍ବିତ ରାତ୍ରିରେ କାରଖାନା ଲୋଡର ବୋକେଟ ତଳେ ଚାପି ହୋଇ ଜୈନିକ ଶ୍ରମିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିବା ଜାଣି ଶ୍ରମିକ ମାନଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା।ତେବେ କ୍ଷତିପୂରଣ ପାଇବାର ପ୍ରତିଶ୍ରୁତି ପରେ ଶବକୁ ବ୍ୟବଚ୍ଛେଦ କରାଯାଇଥିଲା ବୋଲି ଜଣାପଡିଛି। ବଡ଼ ତୁମକଳା ଗ୍ରାମ ଠାରେ ଥିବା ବୁଦ୍ଧୁରାମ ସ୍ପଞ୍ଜ ଆଇରନ କାରଖାନା ଠାରେ ଶନିବାର ଦିନ ରାତି ଡ୍ୟୁଟି କରୁଥିଲେ ଦର୍ଜୀଂ ପଞ୍ଚାୟତ ଠିଆବେର୍ଣା ଗ୍ରାମର ଦୁଃଖ ମାହାନ୍ତ ( ୫୬)।ସେ ଆର ଏମ ପି ବେଲ୍ଟରେ କାମ କରୁଥିବା ବେଳେ ରାତି ପ୍ରାୟ ୧ ଘଟିକା ସମୟରେ ଆର ଏମ ପି ନିକଟରେ ଥିବା ଡୋଲାମାଇଟି ଗଦା ଉପରେ ବସିଥିଲେ ।ଏହି ସମୟରେ କାରଖାନାରେ କାର୍ଯ୍ୟରତ ଓଆର ୧୪ଏଲ ୪୬୭୪ ନମ୍ବର ଲୋଡର ଆସି ଡୋଲାମାଇଟି ଗଦା ଉପରେ ବକେଟି ରଖି ଦେଇଥିଲା।ଫଳରେ ଡୋଲାମାଇଟି ଗଦା ଉପରେ ବସିଥିବା ଦୁଃଖ ମାହାନ୍ତ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ।ଏହି ସମୟରେ ଲୋଡରର ଲାଇଟ୍ ଜଳୁ ନ ଥିଲା ବୋଲି ପ୍ରତ୍ୟକ୍ଷ ଦର୍ଶୀ ଶ୍ରମିକ ମାନେ ଅଭିଯୋଗ କରିଥିବା ଜଣାପଡ଼ିଛି।ମୃତ ଦୁଃଖ ମାହାନ୍ତଙ୍କୁ ରାତି ପ୍ରାୟ ୨ ଟା ପରେ ଲହୁଣୀପଡା ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ଆନୁଷ୍ଠାନିକ ଭାବେ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ।ଖବର ପାଇ ଲହୁଣୀପଡା ପୋଲିଶ ଡାକ୍ତର ଖାନରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ।ଦୁଃଖ ମାହାନ୍ତର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କାରଖାନା ଭିତରେ କାର୍ଯରତ ଶ୍ରମିକ ମାନଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ତେବେ ଶ୍ରମିକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଥିଲା।ମୃତ ଦୁଃଖ ମାହାନ୍ତଙ୍କ ଉପଯୁକ୍ତ କ୍ଷତିପୂରଣ ଓ ପରିବାରର ଜଣେ ସଦସ୍ୟକୁ କାରଖାନା ରେ ନିଯୁକ୍ତି ଦେବା ଦାବିରେ ଶ୍ରମିକ ମାନେ ଆନ୍ଦୋଳନ କରିଥିଲେ। ଏ ନେଇ ଲହୁଣୀପଡା ଥାନାରେ ମୃତକ ଦୁଃଖ ମାହାନ୍ତଙ୍କ ପରିବାର ସହିତ ଶ୍ରମିକ ସଂଘ କାରଖାନା କର୍ତ୍ତୃପକ୍ଷ ଓ ପୋଲିଶ ପ୍ରଶାସନ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା।ଶେଷରେ ମୃତ ଦୁଃଖ ମାହାନ୍ତ ଙ୍କ ପରିବାରକୁ କମ୍ପାନୀ ପକ୍ଷରୁ ସାଢେ ୮ ଲକ୍ଷ ଟଙ୍କାର ଚେକ ଓ ଶୁଦ୍ଧିକ୍ରିୟା ପାଇଁ ନଗଦ ୨୫ ହଜାର ଟଙ୍କା ପ୍ରଦାନ କରାଯିବା ପରେ ପରିବାର ପକ୍ଷରୁ ଶବ ବ୍ୟବଚ୍ଛେଦ ପାଇଁ ରାଜି ହୋଇଥିଲେ।ଲହୁଣୀପଡା ଥାନା ପୋଲିଶ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ସହିତ ଲୋଡରକୁ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।

Leave A Reply

Your email address will not be published.