ରାଜଗାଙ୍ଗପୁର (ରଞ୍ଜିତ ରାଉତ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ରେଳବାଇ ଷ୍ଟେସନର ଜିଆରପି ବିଭାଗର ଥାନା ଅଧିକାରୀ ନିଜ ସହକର୍ମୀଙ୍କ ସହିତ ଷ୍ଟେସନ ଅଞ୍ଚଳରେ ବହୁ ସମୟ ଧରି ତନଖି କରୁଥିବା ବେଳେ ଜନୈକ ବ୍ୟକ୍ତି ଦୁଇଟି ବସ୍ତାରେ ବୋହି କିଛି ନେଇ ଯାଉଥିବା ବେଳେ ସନ୍ଦେହରେ ଉକ୍ତ ବ୍ୟକ୍ତିକୁ ଅଟକ ରଖି ବସ୍ତା ଦୁଇଟିକୁ ଯାଞ୍ଚ କରିବାରୁ ସେଥିରୁ ଅନେକ ପ୍ୟାକେଟ ଥିଲା । ଉକ୍ତ ପ୍ୟାକେଟ ଗୁଡିକରେ ଗଞ୍ଜେଇ ଥିବାର ଜଣାପଡିଥିଲା । ତେବେ ଉକ୍ତ ଯୁବକକୁ ଅଟକ ରଖି ସଂପୂର୍ଣ୍ଣ ଭାବେ ଯାଞ୍ଚ କରିବା ପରେ ସମସ୍ତ ପ୍ୟାକେଟ ମିଶି ୩୩ କେଜି ଗଞ୍ଜେଇ ଥିବାର ଜଣା ପଡିଥିଲା । ଯାହାର ବଜାର ମୂଲ୍ୟ ପାଖାପାଖି ୪ ଲକ୍ଷ ହେବ ବୋଲି ଅନୁମାନ କରାଯାଇଛି । ଗଞ୍ଜେଇ ବେପାର କରୁଥିବା ବ୍ୟକ୍ତି ଜଣକ ଗଉରବ କୁମାର ସିଂହ ( ୨୮ ) ଝାଡ଼ଖଣ୍ଡ ରାଜ୍ୟର ଆଦିତ୍ୟପୁର ଥାନା ଅନ୍ତର୍ଗତ ସରେଇକେଲା ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଥିଲା । ତେବେ ଜିଆରପି ଥାନା ଅଧିକାରୀ ସୁନ୍ଦରଗଡ଼ ଅବକାରୀ ଅଧିକାରୀଙ୍କୁ ସମସ୍ତ ବିଷୟରେ ଅବଗତ କରାଇ ଗଞ୍ଜେଇ ସହ ଉକ୍ତ ବ୍ୟକ୍ତିକୁ ଅବକାରୀ ବିଭାଗ ହାତରେ ସମର୍ପିତ କରିଥିଲେ । ଏ ନେଇ ଜିଲ୍ଲା ଅବକାରୀ ଥାନାରେ ଏକ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ପରେ ଗଞ୍ଜେଇ ବେପାରୀକୁ ଜେଲ ପଠାଇ ଥିବା ଜଣାପଡିଛି ।