କେନ୍ଦ୍ରୀୟ ହାରରେ ଦରମା ଦେବାକୁ ଡାକ୍ତରଙ୍କ ଦାବି, ନଚେତ୍ ଫେବ୍ରୁୟାରୀ ୧ରୁ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର : ରାଜ୍ୟର ଡାକ୍ତରମାନଙ୍କୁ କେନ୍ଦ୍ରୀୟ ହାରରେ(ଡିଏସିପି) ଦରମା ପ୍ରଦାନ କରିବାକୁ ଓଡ଼ିଶା ମେଡିକାଲ ସେବା ସଂଘ(ଓମସା) ଦାବି କରିଛି। ନଚେତ୍ ଆସନ୍ତା ଫେବ୍ରୁୟାରୀ ୧ରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓମ୍ସା ଚେତାବନୀ ଦେଇଛି। ହକି ବିଶ୍ୱକପ୍ ପାଇଁ ପୂର୍ବ ନିଷ୍ପତ୍ତି ଅନୁସାରେ ଆସନ୍ତା ୧୬ ରେ ସଂଘ ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନ ଡାକରାକୁ ସ୍ଥଗିତ ରଖାଯାଇଛି।

ଓମ୍ସା ଭବନରେ ବୁଧବାର ଦିନ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଡା. ନାରାୟଣ ରାଉତ କହିଛନ୍ତି, ୬ଷ୍ଠ ବେତନ କମିସନରେ ବୈଜ୍ଞାନିକ ଓ ଡାକ୍ତରମାନଙ୍କୁ ଏକ ସ୍ବତନ୍ତ୍ର ମାନ୍ୟତା ଦେଇ ସେମାନଙ୍କ ପାଇଁ ୨୦୦୬ ମସିହାରେ କେନ୍ଦ୍ର ସରକାର ଡିଏସିପି ପ୍ରଦାନ ପାଇଁ ସ୍ବୀକୃତି ପ୍ରଦାନ କରିଥିଲେ। ସେହି ଅନୁସାରେ କେନ୍ଦ୍ରୀୟ ଡାକ୍ତର ଓ ଅନ୍ୟ ୧୮ଟି ରାଜ୍ୟରେ ୪, ୯, ୧୩, ୨୦ ବର୍ଷରେ ଡାକ୍ତରମାନଙ୍କୁ ପଦୋନ୍ନତି ଦିଆଯାଉଛି। ମାତ୍ର ୨୦୧୯ ମସିହାରେ ରାଜ୍ୟ ସରକାର ଡିଏସିପି ନାମରେ ୭,୧୪,୨୧ ବର୍ଷରେ ପଦୋନ୍ନତି ବ୍ୟବସ୍ଥା କରି ଠକି ଦେଇଛନ୍ତି। ଯୁବ ଓ ଅଭିଜ୍ଞ ଡାକ୍ତରମାନେ ଲାଭ ପାଉ ନ ଥିବାରୁ ସେମାନେ ସରକାରୀ ଚାକିରି କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ତେଣୁ ରାଜ୍ୟରେ ମଧ୍ୟ କେନ୍ଦ୍ରୀୟ ହାରରେ ଡିଏସିପି ଦରମା ପ୍ରଦାନ କରିବାକୁ ଦାବି କରିଛନ୍ତି।

ଏଥିସହ ଅନ୍ୟ ବିଭାଗ ଭଳି ଡାକ୍ତରମାନେ କିଭଳି ସରକାରୀ ଛୁଟି ପାଇପାରିବେ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଓମ୍ସାର ରାଜ୍ୟ ସାଧାରଣ ସମ୍ପାଦକ ଡାକ୍ତର ବିଶ୍ୱଜିତ ସାମଲ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.