ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଘୋଷଣା କରିଛନ୍ତି।
ଚଳିତବର୍ଷ ବିଜ୍ଞାନରେ ୯୩,୭୩୪ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୮,୯୩୮ ପରୀକ୍ଷାର୍ଥୀ ପାସ କରିଛନ୍ତି। ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଛାତ୍ରଛାତ୍ରୀ ପାସ କରିଥିବାବେଳେ ତୃତୀୟ ଶ୍ରେଣୀରେ ୧୪,୮୫୨ ଛାତ୍ରଛାତ୍ରୀ ପାସ କରିଛନ୍ତି। ତେଣୁ ଏଥର ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଛି।
ସେହିପରି ଏଥର ଯୁକ୍ତ ଦୁଇ ବାଣିଜ୍ୟରେ ପାସ୍ ହାର ୮୧.୧୨% ରହିଛି। ଚଳିତବର୍ଷ ବାଣିଜ୍ୟରେ ୨୪,୦୮୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ୯,୫୩୬ ପରୀକ୍ଷାର୍ଥୀ ପାସ କରିଛନ୍ତି। ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୭,୪୧୦ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଦ୍ୱିତୀୟ ଶ୍ରେଣୀରେ ୪୫୪୩ ଛାତ୍ରଛାତ୍ରୀ ପାସ କରିଥିବାବେଳେ ତୃତୀୟ ଶ୍ରେଣୀରେ ୭୪୯୨ ଛାତ୍ରଛାତ୍ରୀ ପାସ କରିଛନ୍ତି।
ଅନ୍ୟପଟେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଯୁକ୍ତ ଦୁଇ ବିଜ୍ଞାନରେ ଝିଅଙ୍କ ପାସ୍ ହାର ୮୫.୬୭ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ସଫଳତା ହାର ୮୪.୨୮% ରହିଛି। ସେହିପରି ବାଣିଜ୍ୟରେ ୮୩.୮୭% ଝିଅ ପାସ୍ କରିଥିବା ବେଳେ ୭୯.୫୨% ପୁଅ ପାସ୍ କରିଛନ୍ତି।