ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି: ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ପାଇଁ ଆମେରିକାର ଏଫବିଆଇର ସହାୟତା ନେବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ପାଇଁ ଆମେରିକୀୟ ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ)ର ସହାୟତା ନିଆଯିବ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳ ଦାସର ମାନସିକ ସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା ଲାଗି ଏଫବିଆଇର ବୈଷୟିକ ସହାୟତା ନିଆଯିବ ବୋଲି ଆଜି ଗୃହରେ ବିବୃତ୍ତି ରଖିବା ବେଳେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଘଟଣାଟି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର ତଦନ୍ତ ଦାୟିତ୍ବ ତୁରନ୍ତ କ୍ରାଇମ ବ୍ରାଞ୍ଚକୁ ଅର୍ପଣ କରାଯାଇଥିଲା । ତଦନ୍ତରେ ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ମୋ ସରକାର ହାଇକୋର୍ଟଙ୍କୁ ଜଣେ କାର୍ଯ୍ୟରତ/ଅବସରପ୍ରାପ୍ତ ହାଇକୋର୍ଟ ଜଜ୍ଙ୍କୁ ମନୋନୀତ କରି ଏହି କେସ୍ର ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଅନୁରୋଧ କରିଥିଲେ। ହାଇକୋର୍ଟ ଏହି ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସଙ୍କୁ ମନୋନୀତ କରିଛନ୍ତି।
ସେହିଭଳି ଅପରାଧୀର ବ୍ୟବହାରିକ ବିଶ୍ଲେଷଣ କ୍ଷେତ୍ରରେ ବିଶେଷ ଦକ୍ଷତା ଅର୍ଜନ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ଅନୁଷ୍ଠାନ ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନର ସହାୟତା ନେବା ପାଇଁ ରାଜ୍ୟ କ୍ରାଇମ ବ୍ରାଞ୍ଚ ଉଦ୍ୟମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ଜାନୁଆରୀ ୨୯ରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଯୋଗ ଦେବାକୁ ଯାଉଥିବା ବେଳେ ସହକାରୀ ପୋଲିସ ସବ୍ଇନ୍ସପେକ୍ଟର ଗୋପାଳ ଦାସ ତାଙ୍କ ଉପରକୁ ଗୁଳି ଚଳାଇ ଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ବରସ୍ଥିତ ଆପଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା।