ବାଲେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦୁଇଦିନିଆ ବାଲେଶ୍ବର ଜିଲ୍ଲା ଗସ୍ତ ଅବସରରେ ଆଜି ସିମୁଳିଆ ବ୍ଲକ ମଇତାପୁର ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତି ମା’ ମାନଙ୍କ ଦ୍ବାରା ପରିଚାଳିତ ସୋରିଷ ଚାଷ ବୁଲି ଦେଖିଛନ୍ତି। ପ୍ରାୟ ୩ଶହ ଏକରରୁ ଊର୍ଦ୍ଧ୍ବ ଚାଷ ଜମିରେ ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ସୋରିଷ ଚାଷ କରାଯାଉଛି।
ପରେ ସେ ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ସଭାରେ ଯୋଗ ଦେଇଥିଲେ। ଏ ଅବସରରେ ଶ୍ରୀ ମହାପାତ୍ର ମିଶନ ଶକ୍ତି ସଦସ୍ୟା ମାନଙ୍କୁ ଦୁଇଟି ସୋରିଷ ତେଲ ଘଣା କଳ, ୨ଟି ମସଲା ପେଷିବା କଳ, ଗୋଟିଏ ମୁଢି ଭଜା କଳ ଓ ଗୋଟିଏ ଛୋଟ ଧାନ କଳ ପ୍ରଦାନ କରିଥିଲେ। ମିଶନ ଶକ୍ତି ଦ୍ବାରା ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ଉପାର୍ଜନ କରି ଆର୍ଥିକ ସ୍ବାବଲମ୍ବୀ ହୋଇ ପାରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ମତବ୍ୟକ୍ତ କରିଥିଲେ।
ପ୍ରତ୍ୟେକ ପଞ୍ଚାୟତ ଗୋଟିଏ ଉତ୍ପାଦ ପ୍ରସ୍ତୁତ କରିବା ନିମନ୍ତେ ସରକାରଙ୍କ ନିଆଯାଇଥିବା ପଦକ୍ଷେପ ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଏହାଦ୍ବାରା ମହିଳାମାନେ କ୍ଷୁଦ୍ର ଉଦ୍ବୋଗୀ ହୋଇ ପାରିବା ସହ ସେମାନଙ୍କ ଆୟ ଦୁଇଗୁଣା ହୋଇପାରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ।
ଆସନ୍ତାକାଲି ମୁଖ୍ୟ ଶାସନ ସଚିବ ବିଭିନ୍ନ ବ୍ଲକ ଗସ୍ତକରି ଜିଲ୍ଲାରେ ଜାରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କ ସହ କ୍ଷେତ୍ରୀୟ ପରିଦର୍ଶନ କରିବା ସହ ସମୀକ୍ଷା କରିବେ।