କେନ୍ଦ୍ରମନ୍ତ୍ରୀଙ୍କ ଡବଲ ଇଞ୍ଜିନ ଫର୍ମୁଲାକୁ ଖଣ୍ଡନ କଲେ ମୁଖ୍ୟମନ୍ତ୍ରୀ, ଦେଖାଇଲେ ଓଡ଼ିଶାର ସାମୁହିକ ବିକାଶର ଚିତ୍ର ! 

କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ଓଡ଼ିଶାରେ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ଏଠାରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠିତ ହେବା ଦରକାର ବୋଲି ଗତକାଲି କହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ସାମୁହିକ ବିକାଶର ଯେଉଁ ସଫଳତା ହାସଲ ହୋଇଛି, ତାହା ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି ! ଏକ ବେସରକାରୀ ସମ୍ବାଦ ସଂସ୍ଥା ପକ୍ଷରୁ ଆୟୋଜିତ ‘ଓଡିଶା ନିର୍ମାଣ କନକ୍ଲେଭ ୨୦୨୨’ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ କଥାକୁ ଫୁ’କରି ଉଡାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !

 

ଆଲୋଚନାରେ ଭାଗନେଇ ଶ୍ରୀ ଟୁଡୁ କହିଥିଲେ ଯେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଅଛି, ସେଠାରେ ଜନମଙ୍ଗଳକାରୀ କେନ୍ଦ୍ରୀୟ ଯୋଜନାଗୁଡିକ ବିଧିବଦ୍ଧ ଭାବରେ କାର୍ଯ୍ୟକାରୀ ହେଉଥିବା ବେଳେ ବିରୋଧୀ ଦଳ ସରକାରରେ ଥିବା ରାଜ୍ୟଗୁଡିକରେ ତାହା ହେଉନାହିଁ। କେତେକ ରାଜ୍ୟ କେନ୍ଦ୍ରୀୟ ଯୋଜନାଗୁଡିକୁ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ଟୁଡୁ କହିଲେ ଯେ ଅନେକ କ୍ଷେତ୍ରରେ ରାଜ୍ୟ ସରକାରଗୁଡିକ କେନ୍ଦ୍ରୀୟ ଯୋଜନାଗୁଡିକୁ ନୂଆନାମ ଦେଇ ନିଜର ଯୋଜନା କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି !

ଆଲୋଚନାରେ ଭାର୍ଚୁଆଲ ମୋଡରେ ଭାଗନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଟୁଡୁଙ୍କ ନାମ ନନେଇ ତାଙ୍କ ଆକ୍ଷେପକୁ ତାଚ୍ଛଲ୍ଯ କରି କହିଥିଲେ ଯେ ଓଡିଶାରେ ବିଜେଡି ସରକାର ମୂଳରୁ ରାଜ୍ୟର ଗରୀବ ଓ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଛି ଏବଂ ସାମୁହିକ ବିକାଶ କ୍ଷେତ୍ରରେ ଦର୍ଶନୀୟ ସଫଳତା ହାସଲ କରିଛି ! ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନାରେ ଓଡିଶା ଏକ ଆଦର୍ଶସ୍ଥାନୀୟ ରାଜ୍ୟରେ ପରିଣତ ହୋଇଛି ବୋଲି ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଲେ ଯେ ଅର୍ଥନୈତିକ, ସାମାଜିକ, ସ୍ଵାସ୍ଥ୍ୟସେବା ଓ ମହିଳା ସଶକ୍ତିକରଣ ଆଦି ସବୁ କ୍ଷେତ୍ରରେ ଓଡିଶା ଉଲ୍ଲେଖଯୋଗ୍ୟ ସଫଳତା ହାସଲ କରିଛି ।

Leave A Reply

Your email address will not be published.