ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ସୋମବାର ମଇ ୨୨ ତାରିଖରେ ନିଜ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବେ, ଏହା ହେବ ତାଙ୍କ ପଞ୍ଚମ ପାଳି ସରକାରରେ ଦ୍ଵିତୀୟ ଅଦଳବଦଳ। ଖାଲି ପଡିଥିବା ୩ ମନ୍ତ୍ରୀପଦ ପୁରଣ ପାଇଁ ଏହା କରାଯାଉଥିବା ଦର୍ଶାଇ ବିଜେଡି ମହଲରେ ଏହାକୁ ମନ୍ତ୍ରିମଣ୍ଡଳର ପରିବର୍ଦ୍ଧନ ବୋଲି କୁହାଯାଉଛି।ଉଲ୍ଲେଖଯୋଗ୍ୟ ଯେ ସରକାରରେ ୨୨ ମନ୍ତ୍ରୀ ରହିପାରିବାର ପ୍ରାବଧାନ ଥିବା ବେଳେ ଏବେ ୧୯ ଜଣ ମନ୍ତ୍ରୀ ଅଛନ୍ତି। ନିକଟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୃ ଇସ୍ତଫା ଦେଇଥିଲେ, ଦିନକ ପୂର୍ବରୁ ବିଧାନସଭା ବାଚସ୍ପତି ପଦରୁ ବିକ୍ରମ ଆରୁଖ ମଧ୍ୟ ଇସ୍ତଫା ଦେଇଥିଲେ। ବାଚସ୍ପତି ପଦପାଇଁ ସର୍ବଶ୍ରୀ ପ୍ରଫୁଲ୍ଲ ସାମଲ, ଦେବୀ ପ୍ରସାଦ ମିଶ୍ର, ଅମର ଶତପଥୀ ଓ ବଦ୍ରୀନାରାୟଣ ପାତ୍ରଙ୍କ ନାମ ଶୁଣାଯାଉଥିବା ବେଳେ ମନ୍ତ୍ରିମଣ୍ଡଳରେ ଅନ୍ତର୍ଭୁକ୍ତ ହେବା ପାଇଁ ସମ୍ଭାବିତ ବିଧାୟକମାନଙ୍କ ମଧ୍ୟରେ ଅଛନ୍ତି ବିକ୍ରମ ଆରୁଖ, ସୁଶାନ୍ତ ସିଂହ, ଶାରଦା ନାୟକ ଓ ଉମାକାନ୍ତ ସାମନ୍ତରାୟ। ଝାରସୁଗୁଡାର ନବନିର୍ବାଚିତା ବିଧାୟିକା ଦିପାଳୀ ଦାସଙ୍କ ନାମ ମଧ୍ୟ ଚର୍ଚ୍ଚାର ପରିସର ମଧ୍ୟରେ ଅଛି।
ଲୋକସଭା ଭବନ ସମ୍ମିଳନୀ କକ୍ଷରେ ସୋମବାର ସକାଳ ୯.୩୦ ମିନିଟ ସମୟରେ ଏହି ଶପଥ ଗ୍ରହଣ ଉତ୍ସବ ନିରାଡମ୍ବର ଭାବେ ଅନୁଷ୍ଠିତ ହେବ, ରାଜ୍ଯପାଳ ଶ୍ରୀ ଗଣେଶୀ ଲାଲ ଶପଥପାଠ କରାଇବେ।