ଆଜି ବିଧାନସଭାର ସ୍ଵତନ୍ତ୍ର ଅଧିବେଶନରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ବାଚସ୍ପତି ଥିବା ସୂର୍ଯ୍ୟ ନାରାୟଣ ପାତ୍ର ସ୍ବାସ୍ଥ୍ୟଗତ କାରଣରୁ ନିଜ ପଦରୁ ଇସ୍ତଫା ଦେଇଥିଲେ।
ନବଗଠିତ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଚସ୍ପତି ପଦପାଇଁ ଶ୍ରୀ ଆରୁଖଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ, ଗତ ୧୦ ତାରିଖରେ ସେ ଏଥିପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବାଚନିକ ଭୋଟରେ ଆଜି ସେ ବାଚସ୍ପତି ରୂପେ ନିର୍ଦ୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ।
ବିଧାନସଭାରେ ବିକ୍ରମଙ୍କ କାର୍ଯ୍ୟକାଳ ବେଶ ଲମ୍ବା, ୧୯୯୫ରେ ପ୍ରଥମ ଥର ପାଇଁ ସେ ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ଜନତା ଦଳ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ, ୧୯୯୭ରେ ବିଜୁ ଜନତା ଦଳ ଗଠିତ ହେବା ପରେ ୨୦୦୦ ମସିହାରୁ ଲଗାତର ବିଜେଡି ପ୍ରାର୍ଥୀ ଭାବେ ସେ ଜିତି ଆସିଛନ୍ତି । ୨୦୦୯ରେ ପ୍ରଥମ ଥର ପାଇଁ ତାଙ୍କୁ ମନ୍ତ୍ରୀପଦ ମିଳିଥିଲା । ତା’ପର ଠାରୁ ଗତ ୧୩ ବର୍ଷ ଧରି ସବୁବେଳେ ସେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇ ଆସିଛନ୍ତି । ଏଥର ନୂଆ ଭୂମିକାରେ ସେ କିପରି ଭାବେ ନିଜର ଦାୟିତ୍ୱ ନିର୍ବାହ କରିବେ ତାହା ଖୁବଶିଘ୍ର ଜଣାପଡିବ !