ବୁଧବାର ଦିନ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା ପ୍ରକାଶିତ NEET UG 2022 ଟପ୍ପର ତାଲିକାରେ ଓଡିଶାର ପ୍ରିୟ ସୋମଦତ୍ତ ନାୟକ ନିଜ ସ୍ଥାନ ହାସଲ କରିପାରିଛନ୍ତି । ପ୍ରିୟ ସୋମଦତ୍ତ ନାୟକ ସାଇ ଇଣ୍ଟରନେଶନାଲ ସ୍କୁଲର ଛାତ୍ର ହୋଇଥିବା ବେଳେ 720 ମଧ୍ୟରୁ 705 ରଖି 39 ତମ ଅଲ ଇଣ୍ଡିଆ ରାଙ୍କ (AIR) ହାସଲ କରିଛନ୍ତି । ତେବେ ଓଡ଼ିଶାରୁ ୪୪ ହଜାର ୯୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲା ବେଳେ ୪୩ ହଜାର ୮୦ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୬ ହଜାର ୨୭୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।
ତେବେ ସର୍ବ ଭାରତୀୟ ସ୍ଥରରେ ରାଜସ୍ଥାନର ତନିସ୍କା 720 ମଧ୍ୟରୁ 715 ରଖି ଟପ୍ପର ହେବାର ଗୌରବ ହାସଲ କରିଥିବା ବେଳେ ଦିଲ୍ଲୀର ବତ୍ସା ଆଶିଷ ବତ୍ରା ସମାନ ସ୍କୋର ସହ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି।
NTA ତଥ୍ୟ ଅନୁଯାୟୀ, ଜୁଲାଇ 17 ରେ ଅନୁଷ୍ଠିତ NEET UG 2022 ପରୀକ୍ଷା ପାଇଁ 18.72 ଲକ୍ଷ ମେଡିକାଲ ଆଶାୟୀ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ ଏବଂ 95% ପ୍ରାର୍ଥୀ 13ଟି ବିଭିନ୍ନ ଭାଷାରେ ପରୀକ୍ଷା ଦେଇଥିଲେ। ଭାରତର 497 ସହର ଏବଂ ବିଦେଶର 14 ଟି ସହରର 3570 କେନ୍ଦ୍ରରେ ଏହି ମେଡିକାଲ ପ୍ରବେଶିକା ପରୀକ୍ଷା କରାଯାଇଥିଲା।