ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୌରବକୁ ପୁଣିଥରେ ସମ୍ମାନର ସ୍ୱୀକୃତି ମିଳିଛି । ଶ୍ରୀ ପଟ୍ଟନାୟକଙ୍କ ଜୀବନବ୍ୟାପି ଅବଦାନ ପାଇଁ ତାଙ୍କୁ ସମ୍ମାନଜନକ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଥିବା କଥା କୁହାଯାଇଛି । ଆସନ୍ତା ସେପ୍ଟେମ୍ବର 4 ତାରିଖରେ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଏନ.ଭି. ରମନ୍ନାଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ସୁପ୍ରିମ କୋର୍ଟର ପୂର୍ବତନ ନ୍ୟାୟାଧୀଶ ଅନଙ୍ଗ କୁମାର ପଟ୍ଟନାୟକ ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟରେ ବିକାଶର ଧାରାକୁ ନିରବଛିନ୍ନ ଭାବେ କ୍ରିୟାଶୀଳ ରଖି ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କ ହୃଦୟ ଜୟ ଜୟ କରିଛନ୍ତି ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।
1987 ମସିହାରେ ପ୍ରତିଷ୍ଠିତ କ୍ୟାପିଟାଲ ଫାଉଣ୍ଡେସନ ଦେଶର ଅନ୍ୟତମ ପ୍ରମୁଖ ସ୍ବେଛାସେବୀ ଅନୁଷ୍ଠାନ, ଏହାର ସଦସ୍ୟ ଭାବରେ ରହିଛନ୍ତି ସାଂସଦ, ବିଚାରପତି, ପ୍ରଶାସନିକ ସେବା ଅଧିକାରୀ, କୂଟନୀତିଜ୍ଞ, ସାମ୍ବାଦିକ ଓ ବୁଦ୍ଧିଜୀବୀ । ପୂର୍ବରୁ ଏହି ପୁରସ୍କାର ପାଇଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ହେଲେ – ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦ୍ରକୁମାର ଗୁଜରାଲ, ପୂର୍ବ କେନ୍ଦ୍ରମନ୍ତ୍ରୀ ମୁରଲୀ ମନୋହର ଯୋଶୀ, ବରିଷ୍ଠ ଅଧିବକ୍ତା ରାମ ଜେଠମଲାନି, ଏଫ.ଏସ. ନରିମାନ ଓ ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀ ପ୍ରମୁଖ ।