କର୍ମଚାରୀଙ୍କ ଭଳି ଆଚରଣ କରୁଛନ୍ତି ମନ୍ତ୍ରୀ

ମନ୍ତ୍ରୀ ଓ ମୁଖ୍ଯସଚିବଙ୍କ ଫଟୋକୁ ନେଇ ବିଧାନସଭା ଉଠିଛି ଓ ପଡ଼ିଛି, ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକମାନେ ହୋହଲ୍ଲା କରିଛନ୍ତି ଓ ନାରାବାଜି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଯାଇ ତାଙ୍କୁ ଏକ ଚେକ ଦେବାର ଫଟୋକୁ ନେଇ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଲେ ଯେ ମନ୍ତ୍ରୀମାନେ ହେଉଛନ୍ତି ସରକାର, ମୁଖ୍ଯସଚିବ ଜଣେ କର୍ମଚାରୀ; ସରକାରଙ୍କ ପାଖକୁ କର୍ମଚାରୀ ଯିବ ନା କର୍ମଚାରୀ ପାଖକୁ ସରକାର ଯିବ ? ଏହି ଫଟୋରୁ ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଥିବାର ଛବି ଦିଶୁଛି ଓ ଏହା ଗଣତନ୍ତ୍ରର ଏକ ପ୍ରକାର ଧର୍ଷଣ ବୋଲି ସେ କହିଥିଲେ।ମନ୍ତ୍ରୀମାନେ ଏପରି କରନ୍ତୁ ନାହିଁ ଓ ଆଗକୁ ଏମିତି ଆଉ ହେବ ନାହିଁ ବୋଲି ମନ୍ତ୍ରୀ ଗୃହରେ କୁହନ୍ତୁ, ମୁଖ୍ୟ ଶାସନ ସଚିବ ମଧ୍ୟ ଅନୁତାପ କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।

ଏହାକୁ ନେଇ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ବର୍ଷୁଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ତାହାର ଜବାବ ରଖି କହିଥିଲେ ଯେ ଏଭଳି କହି ମନ୍ତ୍ରୀମାନଙ୍କ କ୍ଷମତାକୁ କ୍ଷୁର୍ଣ୍ଣ କରାଯାଉଛି !

ସେତିକି ବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ଯକ୍ତିଗତ ସଚିବଙ୍କୁ ମନ୍ତ୍ରୀ ଶ୍ରୀ ପୂଜାରୀ ମୁଣ୍ଡ ନୁଆଁଇ ନମସ୍କାର କରୁଥିବାର ଫଟୋ ମଧ୍ୟ ବିଧାନସଭାରେ ପ୍ରଦର୍ଶନ କରାଯାଇଥିଲା, ମାତ୍ର ଏହାକୁ ଖଣ୍ଡନ କରି ମନ୍ତ୍ରୀ କହିଥିଲେ ଯେ ସେ ମୁଖ୍ୟମନ୍ତ୍ରୀଙ୍କୁ ନମସ୍କାର କରୁଛନ୍ତି, ବ୍ଯକ୍ତିଗତ ସଚିବ ମୁଖ୍ୟମନ୍ତ୍ରୀଙ୍କ ପଛରେ ଛିଡ଼ା ହୋଇଛନ୍ତି – ସବୁକଥାକୁ ଏପରି କଦର୍ଥ କରାନଯାଉ !

Leave A Reply

Your email address will not be published.