ବଲାଙ୍ଗୀର (ସୁଜାତା ମିଶ୍ର) : ସହରର ଅନ୍ଧାର ରାତିରେ ବଢିବାରେ ଲାଗିଛି ଲୁଟତରାଜ । ଅବସ୍ଥା ଏପରି ହେଲାଣି ଯେ ଲୋକେ ଏବେ ଘରୁ ବାହାରିବାକୁ ଭୟ କଲେଣି । ତେବେ ଗତକାଲି ବିଳମ୍ବିତ ରାତିରେ ଦୁଇଜଣ ଅଧ୍ୟାପକଙ୍କୁ ଆକ୍ରମଣ ଘଟଣା ଏବେ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚାନୁସାରେ ଗତକାଲି ରାତି ପ୍ରାୟ ୧୨ ଟାରେ SIHM ବା ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟର ଅଧ୍ୟାପକ ସାହିଲ ସାହୁ ପ୍ୟାଲେସଲାଇନ ପଡାରୁ ବାହାରି ବାଇକରେ ରେଲୱେ ଷ୍ଟେସନକୁ ଯାଉଥିଲେ । ହଠାତ ରାଜୀବନଗର ହେଲିପ୍ୟାଡ ନିକଟରେ ଦୁଇଟି ବାଇକରେ ଚାରିଜଣ ଦୁର୍ବୁତ୍ତ ଆସି, ସାହିଲଙ୍କ ଠାରୁ ବାଇକ ଲୁଟ କରିବାକୁ ଉଦ୍ୟମ କରିଥିଲେ । ସାହିଲ ବାଧା ଦେବାରୁ ସେମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ନିଜକୁ ବଞ୍ଚାଇବାକୁ ଯାଇ ସାହିଲ, ରାଜୀବନଗର ପଡାରେ ରହୁଥିବା ନିଜର ଆଉଜଣେ ସହକର୍ମୀ ବିଜୟ କିରଣଙ୍କୁ ଡାକିଥିଲେ । ସହକର୍ମୀ ବିଜୟ ଘରୁ ବାହାରକୁ ଆସି, ସାହିଲକୁ ଉଦ୍ଧାର କରିବାକୁ ଉଦ୍ୟମ କଲା ବେଳକୁ ଲୁଟେରା ମାନେ ବିଜୟଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ବିଜୟଙ୍କ ନିକଟରୁ ମୋବାଇଲ ଲୁଟକରି ଫେରାର ମାରିଥିଲେ ଲୁଟେରା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ଅଧ୍ୟାପକ ରାସ୍ତା ଉପରେ ପଡିଥିବା ବେଳେ ପୋଲିସର ପେଟ୍ରୋଲିଂ ଟିମ ଉଭୟଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ବିଜୟ କିରଣଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ରେଫର କରାଯାଇଛି । ଗୁରୁତର ସାହିଲ ସାହୁ ଝାରସୁଗୁଡାର ବାସିନ୍ଦା ହୋଇଥିବା ବେଲେ, ବିଜୟ କିରଣ ଅନ୍ଧ୍ରପ୍ରଦେଶ ରାଜମୁଣ୍ଡ୍ରିର ବାସିନ୍ଧା ବୋଲି ଜଣାପଡିଛି । ସହର ଭିତରେ ବଢିଚାଲିଥିବା ଚୋରୀ, ଡକାୟତୀ, ଲୁଟତରାଜ ଏବେ ବଲାଙ୍ଗିର ପୋଲିସ ପାଇଁ ମୁଣ୍ଡବ୍ୟାଥାର କାରଣ ପାଳଟିଛି ।