ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ମୁଣ୍ଡ ବିନ୍ଧା ସାଜିଛି ମସ୍ତିଷ୍କ ଜ୍ୱର। ସ୍ଥାନୀୟ ପୁରୁବାଇ କନ୍ୟାଶ୍ରମରେ ମସ୍ତିଷ୍କ ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ପୁଣି ୫ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି। ସମସ୍ତ ୫ ଅନ୍ତେବାସୀଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଗତକାଲି ୪ ଜଣଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଏବେ ବାଲେଶ୍ୱରରେ ଅସୁସ୍ଥ ଅନ୍ତେବାସୀଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ସେହିଭଳି ସୋର ମେଡିକାଲରେ ବି ୧୪ ଅନ୍ତେବାସୀଙ୍କର ଚିକିତ୍ସା ଜାରି ରହିଛି। ଆଉ କିଛି ଛାତ୍ରୀ ମଧ୍ୟ ଅସୁସ୍ଥ ଥିବା ଜଣାଯାଇଛି।
କହିରଖୁଛୁ ଯେ ସୋର ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ୫ଦିନ ତଳେ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ବାନ୍ତି ହୋଇଥିଲା। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ କନ୍ୟାଶ୍ରମର ୨୮ଜଣ ଛାତ୍ରୀ ଅସୁସ୍ଥ ହୋଇଥିଲେ। ସମସ୍ତଙ୍କୁ ସୋର୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରଶାସନ ପକ୍ଷରୁ ସମସ୍ତ ଛାତ୍ରୀଙ୍କ ରକ୍ତ ନମୁନା ପରୀକ୍ଷା ପରେ ଏନଶେଫାଲାଇଟିସ୍ ପଜେଟିଭ୍ ଆସିଛି।
ଖବର ପାଇ ଜିଲ୍ଲାପାଳ ଦତ୍ତତ୍ରୟ ଭାଉ ସାହେବ ସିନ୍ଧେ, ସୋର ବିଧାୟକ, ମ୍ୟୁନିସିପlଲିଟ ଅଧ୍ୟକ୍ଷ ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀମାନେ କନ୍ୟାଶ୍ରମରେ ପହଞ୍ଚି ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପରିବେଶକୁ ସଫାସୁତୁରା ରଖିବାକୁ ପରାମର୍ଶ ଦେଇଛନ୍ତି।