ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଆଜି ବିଧାନସଭାରେ ଶୂନ୍ୟକାଳରେ କରିଥିବା ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ଗତ ୯ ବର୍ଷ ଭିତରେ ଥାନା ପୋଲିସ ହେପାଜତରେ ୫୧ଜଣ ଅଭିଯୁକ୍ତ, ୫୪୬ଜଣ କଏଦୀ ଓ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ଶ୍ରୀ ପଟ୍ଟନାୟକ ୧୦ ବର୍ଷର ତଥ୍ୟ ମାଗିଥିବା ବେଳେ ମନ୍ତ୍ରୀ ୯ ବର୍ଷର ତଥ୍ୟ ପ୍ରଦାନ କରିଛନ୍ତି।
ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ ପଚାରିଥିଲେ ଯେ କେତେ ହାଜତ ମୃତ୍ୟୁ ମାମଲାରେ କୋର୍ଟ, ରାଜ୍ୟ ତଥା ଜାତୀୟ ମାନବାଧିକାର କମିସନ କ୍ଷତିପୂରଣ ପ୍ରଦାନ ନିମନ୍ତେ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ? ମନ୍ତ୍ରୀ ଏହି ପ୍ରଶ୍ନର ଉତ୍ତର ନଦେଇ କହିଥିଲେ ଯେ ସେହି ସଂକ୍ରାନ୍ତ ତଥ୍ୟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଠାରୁ ସଂଗ୍ରହ କରାଯାଉଛି।
ମନ୍ତ୍ରୀ କହିଥିଲେ ଯେ ଥାନା ପୋଲିସ ହେପାଜତରେ ୨୦୧୩ରେ ୬, ୨୦୧୪ରେ ୨, ୨୦୧୫ରେ ୮, ୨୦୧୬ରେ ୪, ୨୦୧୭ରେ ୩, ୨୦୧୮ରେ ୪, ୨୦୧୯ରେ ୭, ୨୦୨୦ରେ ୭, ୨୦୨୧ରେ ୪ ଓ ୨୦୨୨ରେ ୫ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଜେଲରେ ୨୦୧୩ରେ ୪୬, ୨୦୧୪ରେ ୪୩, ୨୦୧୫ରେ ୪୬, ୨୦୧୬ରେ ୪୮, ୨୦୧୭ରେ ୪୭, ୨୦୧୮ରେ ୫୧, ୨୦୧୯ରେ ୫୩, ୨୦୨୦ରେ ୭୮, ୨୦୨୧ରେ ୬୧ ଏବଂ ୨୦୨୨ରେ ୭୩ ଜଣ କଏଦୀ ଓ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି।