ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଛତାମଖନା ନିକଟସ୍ଥ ଜାମସର୍ ରାସ୍ତା ପାର୍ଶ୍ବରେ ଥିବା ଏକ ପୋଖରୀ ନିକଟରେ । ସୂଚାନୁସାରେ ବଲାଙ୍ଗୀର ଜିଲ୍ଲା ବୁଢ଼ୀପଦର ପଞ୍ଚାୟତ ଘୁଷୁରମୁଣ୍ଡା ଗ୍ରାମର ମୁନ୍ନା ସାହୁ ଏବଂ ତାଙ୍କ ପତ୍ନୀ ପିଙ୍କି ସାହୁ କାର ଯୋଗେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଚେକ ଅପ ପାଇଁ ଆସିଥିଲେ। କାମ ସାରି ଫେରୁଥିବା ସମୟରେ ରାତି ପ୍ରାୟ 8ଟାରେ ହଠାତ କାରଟି ଭାରସାମ୍ୟ ହରାଇ ଜାମସର୍ ରାସ୍ତା ପାର୍ଶ୍ବରେ ଥିବା ପୋଖରୀ ଭିତରକୁ ପଶି ଯାଇଥିଲା । ତେବେ ସ୍ୱାମୀ ମୁନ୍ନା ସାହୁ କୌଣସି ମତେ ଗାଡ଼ି ଭିତରୁ ବାହାରି ଆସି ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ । ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ଏକ ଘଣ୍ଟାର ପରିଶ୍ରମ ପରେ ରାତି ୧୦ଟା ବେଳେ ପାଣି ଭିତରେ ଗାଡ଼ିକୁ ଠାବ କରି ମହିଳାଙ୍କୁ ଉଦ୍ଧାର କରିଥିଲେ । ମହିଳାଙ୍କୁ ସଂଗେ ସଂଗେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁଃଖର ବିଷୟ ଏହିକି ଯେ ମହିଳା ଜଣକ ଗର୍ଭବତୀ ଥିଲେ ଏବଂ ତାଙ୍କର ଏକ ଦୁଇ ବର୍ଷର ପୁଅ ମଧ୍ୟ ଥିବା ଜଣାପଡିଛି । ଆଖି ସାମ୍ନାରେ ଗର୍ଭବତୀ ସ୍ତ୍ରୀଙ୍କୁ ହରାଇ ସ୍ୱାମୀ ମୁନା ସାହୁ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଘୁଷୁରାମୁଣ୍ଡା ଗାଁରେ ଶୋକର ଛାୟା ଖେଲିଯାଇଛି । ତେବେ ଅନ୍ୟପଟେ ଏନ.ଏଚ ୨୬ ର ଜାମସର ଛକ ନିକଟରେ ରାସ୍ତାକଡକୁ ଲାଗି ପୋଖରୀ ରହିଥିବା ସତ୍ୱେ ଏଠାରେ କୌଣସି ପ୍ରକାର ବ୍ୟାରିକେଡ଼ ନାହିଁ । ଫଳରେ ଏହି ସ୍ଥାନରେ ବାରମ୍ୱାର ଏପରି ଦୁର୍ଘଟଣା ମାନ ଘଟୁଛି । ଶୀଘ୍ର ରାସ୍ତା କଡରେ ବ୍ୟାରିକେଡ ନିର୍ମାଣ କରିବାକୁ ଦାବୀ କରିଛନ୍ତି ସ୍ଥାନୀୟ ଲୋକେ ।