ନିଜ ସ୍ତ୍ରୀ କିଡ଼ନୀ ବିକି ବନ୍ଧା ହେଲେ ସ୍ୱାମୀ

ନିଜ ପତ୍ନୀଙ୍କ ଅଜ୍ଞାତସାରରେ ତାଙ୍କ କିଡ଼ନୀ ବିକ୍ରି କରିଦେଇଥିବା ଅଭିଯୋଗରେ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ । ମାଲକାନଗିରି ଜିଲ୍ଲାର କେଟାମେଟା ଗ୍ରାମର ପ୍ରଶାନ୍ତ କୁଣ୍ଡୁ ନାମକ ଜଣେ ବ୍ୟକ୍ତି 2018 ମସିହାରେ ପତ୍ନୀ ରଞ୍ଜିତାଙ୍କ କିଡ଼ନୀ ଷ୍ଟୋନ ଅପସାରଣ ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ । ସେଠାରେ ଅସ୍ତ୍ରୋପଚାର କରାଯାଇ ତାଙ୍କ କିଡ଼ନୀକୁ କାଢି ମାଲକାନଗିରି ଏମଭି-38 ଅଂଚଳର ଜନୈକ ଅସୀମ ହାଲଦାରଙ୍କ ଠାରେ ରୋପଣ କରାଯାଇଥିଲା । ଏସବୁ ଘଟଣା ତାଙ୍କ ଅଗୋଚରରେ କରାଯାଇଥିଲା ବୋଲି ଅଗଷ୍ଟ 24 ତାରିଖରେ ରଞ୍ଜିତା ଥାନାରେ ଅଭିଯୋଗ କରିଛନ୍ତି । ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ଡାକ୍ତରଙ୍କୁ ଦେଖାଇବା ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ କିଡ଼ନୀକୁ ଅସ୍ତ୍ରୋପଚାର କରି ବାହାର କରିନିଆଯାଇଛି । ଉଲ୍ଲେଖନୀୟ ଯେ ଯେଉଁ ସମୟରେ ରଞ୍ଜିତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା, ସେହି ସମୟରେ ସେହି ବେସରକାରୀ ହସ୍ପିଟାଲରେ ଅସୀମ ହାଲଦାର ଚିକିତ୍ସା ପାଇଁ ଭର୍ତି ହୋଇଥିଲେ । ସ୍ତ୍ରୀ ରଞ୍ଜିତାଙ୍କ କିଡ୍ନୀ ବିକ୍ରି କରିବା ପରେ ପ୍ରଶାନ୍ତ 8 ମାସ ତଳେ ଆନ୍ଧ୍ରପ୍ରଦେଶ ଚାଲିଯାଇଥିଲେ ଓ ସେଠାରେ ଆଉ ଜଣକୁ ବିବାହ କରିଥିଲେ । ଗତ ଅଗଷ୍ଟ 27 ତାରିଖରେ ସେ ନିଜ ଦ୍ୱିତୀୟ ପତ୍ନୀଙ୍କ ସହ କେଟାମେଟା ଘରକୁ ଆସିଥିଲେ । ମାତ୍ର ତାଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିବା ଜାଣି ସେ ଫେରାର ହୋଇଯାଇଥିଲେ । ପୋଲିସ ଖୋଜିଖୋଜି ତାକୁ ସେଠାରୁ ଗିରଫ କରିଛି ।

Leave A Reply

Your email address will not be published.