ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ସୋୟେମ୍ବା ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ମେସ କରି ରହୁଥିବା ୩୨ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ କେ.ବଲାଙ୍ଗ ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରାଯାଇଛି। ସୂଚନାନୁଯାୟୀ ଗତକାଲି ସନ୍ଧ୍ୟା ସମୟରେ ହଟାତ ୨୫ ଜଣ ଛାତ୍ରୀଙ୍କ ପେଟ କାଟିବା ସହ ଜ୍ୱର ଆସିଥିଲା। ସେମାନଙ୍କୁ କେ.ବଲାଙ୍ଗ ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିବା ବେଳେ ଆଜି ସକାଳେ ହଷ୍ଟେଲରେ ରହୁଥିବା ଆଉ ୭ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସେମାନଙ୍କୁ ବି ଜ୍ୱର ଆସିବା ସହ ଝାଡ଼ାବାନ୍ତି ହୋଇଥିଲା। ସେମାନଙ୍କୁ ଆଜି ସକାଳେ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସାପରେ ସମସ୍ତ ଛାତ୍ରୀ ସୁସ୍ଥ ଅଛନ୍ତି ବୋଲି କେ.ବଲାଙ୍ଗ ମେଡିକାଲର ଡାକ୍ତର କଳାକାନ୍ତ ମହାନ୍ତ କହିଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପିଲାମାନେ ଠିକ୍ ଭାବରେ ନ ଖାଇବା ଓ ଅଳ୍ପ ପାଣି ପିଇବା ଦ୍ୱାରା ଏପରି ହୋଇଛି। ସେମାନଙ୍କ ସ୍ୱାସ୍ଥ୍ୟା ଅବସ୍ଥା ଉପରେ ନଜର ରଖାଯାଇଥିବା ବେଳେ ଗତକାଲି ସେମାନେ ହଷ୍ଟେଲକୁ ଫେରିଯିବେ।