ରାଉରକେଲା (ବିଜୟ ପ୍ରଧାନ) : ରାଉରକେଲା ସହରର ଜେଲ ରୋଡ ସ୍ଥିତ ପଦ୍ମାବତୀ ମେମୋରୀଆଲ୍ ହଲଠାରେ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର ସହିତ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସମ୍ପାଦକ ଡଃ ସୁବାସ ଚନ୍ଦ୍ର ଲେଙ୍କାଙ୍କ ଆବାହକତ୍ବ ତଥା ସଭାପତି ଡଃ ଉମାକାନ୍ତ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାଧ୍ୟାପକ ଭବେଶଚନ୍ଦ୍ର ସାହୁ , ମୁଖ୍ୟବକ୍ତା ଭାବେ ଡ଼କ୍ଟର ଅଶ୍ୱିନ କୁମାର ରାୟ ପ୍ରମୁଖ ଯୋଗଦେଇ ଓଡିଆ ଭାଷାର ପ୍ରଚାର ପ୍ରସାର ଦିଗରେ ଗଙ୍ଗାଧରଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଶ୍ରୀ ସାହୁ ତାଙ୍କ ବକ୍ତବ୍ଯରେ ମାତୃଭାଷାର ଉନ୍ନତି ଓ ପ୍ରସାର ଦିଗରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସ୍ବତନ୍ତ୍ର ଭୂମିକା ଥିଲା ବୋଲି କହିବା ସହ ତାଙ୍କ ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଡ଼କ୍ଟର ରାୟ ତାଙ୍କ ବକ୍ତବ୍ଯରେ କହିଲେ ଯେ ଗଙ୍ଗାଧରଙ୍କ ସାହିତ୍ୟରେ ନୈତିକତା, ଶାଳିନତା ଓ ଶାସ୍ତ୍ରୀୟତାର ପୃଷ୍ଠଭୂମି ଥିଲା। ଓଡିଆ ଭାଷାକୁ ବଞ୍ଚାଇ ରଖିବାର ଉଦ୍ୟମ ପ୍ରଥମେ ସେ ହିଁ ଆରମ୍ଭ କରିଥିଲେ ଓ ସମ୍ବଲପୁର ବାସୀ ଏଥିରେ ଶକ୍ତ ଭୂମିକା ଗ୍ରହଣ କରିଥିଲେ ।ସେହିପରି ସାହିତ୍ୟ ସଭା ପୂର୍ବରୁ ରାଉରକେଲାର ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ରେଲବାଇବୋର୍ଡ଼ ନୂଆ ଦିଲ୍ଲୀରୁ ଡଃ ଲେଙ୍କାଙ୍କୁ ଦୁଇ ବର୍ଷ ପାଇଁ ଡ଼ି ଆର ୟୁ ସି ସି ଭାବେ ଯେଉଁ ନିଯୁକ୍ତି ମିଳିଛି ସେ ସମ୍ବନ୍ଧରେ ନିଜର ବକ୍ତବ୍ୟ ରଖିଥିଲେ। ପରେ ମୁଖ୍ୟଅତିଥି,ମୁଖ୍ୟ ବକ୍ତା,ଅନୁଷ୍ଠାନ ର ସଭାପତି ଏବଂ ଡ଼ଃ ଲେଙ୍କାଙ୍କ ଦ୍ୱାରା ଉପସ୍ଥିତ ସାମ୍ବାଦିକମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା । ଏହି ଅବସରରେ ଡଃ ଲେଙ୍କା ବାର୍ଷିକ ବିବରଣୀ ପାଠ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ରୀନାରାଣୀ ସ୍ୱାଇଁ ଓ ସୁଶ୍ରୀ ସଂଗୀତା ଦାଶଙ୍କ ସଂଯୋଜନା ଓ ବଳରାମ ଦାଶଙ୍କ ସଭାପତିତ୍ବରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅକ୍ଷୟ କୁମାର ଧଳ ଉପସ୍ଥିତ ଥିଲେ । କବି କୁଞ୍ଜବିହାରୀ ରାଉତଙ୍କ ସମେତ ଅନେକ କବି ନିଜ ନିଜର କବିତା ପାଠ କରିଥିଲେ । ପରି ଶେଷରେ କବି ଶୁଚିସ୍ମିତା ପଣ୍ଡା ସମସ୍ତ କବି ଓ ସାମ୍ବାଦିକ ବନ୍ଧୁ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।