ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ପଞ୍ଚାୟତ ଅଧିନ ସାନ୍ତାରାପୁରରେ ଜଣେ ଯୁବତୀଙ୍କ ଶବ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ ହେଉଛନ୍ତି 20 ବର୍ଷୀୟ ଶୁଭଲକ୍ଷ୍ମୀ ମଳିକ । ସୂଚନାଯୋଗ୍ୟ ଯେ ଗତକାଲି ଅପରାହ୍ନ 3 ଘଟିକା ସମୟରେ ଶୌଚ ହେବାପାଇଁ ଯାଇଥିବା ଶୁଭଲକ୍ଷ୍ମୀ ଆଉ ଘରକୁ ଫେରି ନଥିଲେ। ଘରକୁ ନଫେରିବାରୁ ତାଙ୍କ ମା ଓ ବାପା ଏବଂ ଗାଁ ଲୋକେ ବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ, ପରେ ବାଧ୍ୟ ହୋଇ ତାଙ୍କ ବାପା ତିହିଡ଼ି ଥାନାରେ ଯୁବତୀଙ୍କ ନିଖୋଜ ହେବାର ଅଭିଯୋଗ କରିଥିଲେ । ତେବେ ଆଜି ସକାଳେ ଗ୍ରାମର ପଦା ପାଖରେ ଥିବା ପୋଖରୀରେ ଯୁବତୀଙ୍କ ମୃତ ଶରୀର ଭାସୁଥିବାର ଦେଖିବାକୁ ମିଳିଥିଲା। ଖବର ପାଇ ତିହିଡ଼ି ପୋଲିସ ଘଟଣାସ୍ଥଳରେ ପହଂଚି ପାଣିରୁ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ଦ୍ବାରା ଭଦ୍ରକ ପଠାଇଥିବା ସୂଚନା ମିଳିଛି ।