ବନ୍ୟା ଜଳସ୍ତର ହ୍ରାସ ପାଉଥିବା ହେତୁ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର, କେନ୍ଦ୍ରାପଡା, ମହାକାଳପଡ଼ା, ଆଳି ଓ ପଟ୍ଟାମୁଣ୍ଡାଇ ବ୍ଲକର ଲୋକମାନେ ଆଶ୍ଵସ୍ତ ହୋଇଥିବା ବେଳେ, ମାର୍ଶାଘାଇ ବ୍ଲକରେ ଲୋକେ ଏବେ ବି ଜଳଘେରରେ ସଂଗୀନ ଅବସ୍ଥାରେ ଅଛନ୍ତି।
ବନ୍ୟା ଫଳରେ ବ୍ଲକର ବହୁ ଅଞ୍ଚଳ ବାହାର ଦୁନିଆ ଠାରୁ ବିଛିନ୍ନ ହୋଇଯାଇଛି, ଲୋକମାନେ ନଦୀବନ୍ଧରେ ଅସ୍ଥାୟୀ କୁଡିଆ କରି ଦୟନୀୟ ଭାବେ ଦିନ କାଟୁଛନ୍ତି।
ବନ୍ୟା ପ୍ରପୀଡ଼ିତଙ୍କ ପାଖରେ ରିଲିଫ ପହଞ୍ଚାଇ ଦିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିଲା ବେଳେ ବ୍ଲକର ବଟିରା, ଶୃତିପୁର, ଜଳପୋକ, ଆଖୁଆ, ପରକୁଳା, ଅଙ୍କୋ ଓ କୁଞ୍ଜକୋଠି ଆଦି ଗାଁରେ ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କ ପାଖରେ ରିଲିଫ ପହଞ୍ଚି ପାରିନାହିଁ ବୋଲି ଜଣାପଡିଛି।
ପାଇକା ନଦୀରେ ଘାଇ ହେବା ଫଳରେ ଧନିଆପଡା, ନୂଆଗାଁ, ଜୋରମୁହାଁ ଓ ବଟିରା ଆଦି ଗାଁରେ ପାଣି ପଶିଯିବା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଶହଶହ ଘରେ ପାଣି ପଶିଯାଇଥିବା କଥା ସ୍ଵୀକାର କରିଛନ୍ତି ଜିଲ୍ଲା ଜରୁରୀ ସେବା ଅଧିକାରିଣୀ ହେମଲତା ବାହାଲିଆ, ଲୋକଙ୍କ ଜୀବନ ରକ୍ଷା ପାଇଁ ସରକାରୀ ସ୍ତରରେ ସବୁ ପ୍ରକାର ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।