ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ନିର୍ଘାତ ପିଟିଲେ ନକଲି ଶିକ୍ଷୟିତ୍ରୀ : ଏବେ ସ୍କୁଲରୁ ଗାୟେବ

ବଲାଙ୍ଗିର ସହର ଇଛାପଡା ପ୍ରାଥମିକ ବିଦ୍ୟାଳୟରେ କ୍ଷିରାଦ୍ରୀ ବାଗ ନାମ୍ନୀ ଶିକ୍ଷୟିତ୍ରୀ ପ୍ରାୟ ୮ ବର୍ଷ ହେଲା ପିଲାଙ୍କୁ ପାଠ ପଢ଼ାଉଥିଲେ।

ଶିକ୍ଷୟିତ୍ରୀଜଣକ ଗତ ସୋମବାର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏକଥା ଛାତ୍ରୀଜଣକ ଘରେ କିଛି କହି ନ ଥିଲା, ମାତ୍ର ପରଦିନ ମଧ୍ୟ ସେହି ଶିକ୍ଷୟିତ୍ରୀ ସେହି ଛାତ୍ରୀକୁ ପୁଣିଥରେ ନିର୍ଘାତ ପିଟିଥିଲେ। ମାଡ ଅସହ୍ୟ ହେବାରୁ ଛାତ୍ରୀଜଣକ କାନ୍ଦି କାନ୍ଦି ଘରେ ସବୁ କଥା କହିଥିଲା। ଏନେଇ ପରିବାର ଲୋକେ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି।

ଖବର ପାଇ ଏବିଇଓ, ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଶ୍ରୀମତୀ ବାଗ ଏବେ ସ୍କୁଲରୁ ଗାୟେବ ହୋଇ ଯାଇଛନ୍ତି।

ଶ୍ରୀମତୀ ବାଗଙ୍କ ନିଯୁକ୍ତି ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ, ତାଙ୍କର ନିଯୁକ୍ତି ବିଷୟରେ ଏବିଇଓ ମଧ୍ୟ କିଛି ଜାଣି ନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି ।

ସେହି ସ୍କୁଲରେ ୭୪ ଜଣ ପିଲା ପାଠ ପଢୁଛନ୍ତି ।ସରକାରଙ୍କ ପକ୍ଷରୁ ୪ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି।

ଏହା ସରକାରଙ୍କ ଅନୁପାତ ଠାରୁ ଅଧିକ ଥିବା ବେଳେ ପୁଣି ଜଣେ ବାହାର ଶିକ୍ଷକ କ’ଣ ପାଇଁ ଆବଶ୍ୟକ ପଡ଼ିଲେ,ଏଥିପାଇଁ କିଏ ଅନୁମତି ଦେଇଥିଲେ ତାହା ଉପରେ ଅନୁସନ୍ଧାନ ଆରମ୍ଭ ହୋଇଛି ।

ତାଙ୍କୁ ଏକ ଏନଜିଓ ସେଠାରେ ରଖିଥିବା କୁହାଯାଉଛି।

ମାତ୍ର ଏନଜିଓ ତାଙ୍କୁ ସେଠାରେ ଶିକ୍ଷୟିତ୍ରୀ ଭାବେ କିପରି ରଖିଲା ଓ ଏତେବର୍ଷ ମଧ୍ୟରେ କିପରି ଉପରିସ୍ଥ ଅଧିକାରୀ ଏସମ୍ପର୍କରେ ଜାଣି ପାରିଲେ ନାହିଁ, ତାହା ସମସ୍ତଙ୍କୁ ଚକିତ କରିଛି।

Leave A Reply

Your email address will not be published.