ସରପଞ୍ଚଙ୍କ ବାରମ୍ବାର ଅଭିଯୋଗ ପରେବି ଭୁତୁଡ଼ାରେ ମୌଳିକ ସୁବିଧା ସାତ ସପନ

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସ୍ୱାଧୀନତାର ଛଅସ୍ତରୀ ବର୍ଷ ପରେ ଭାରତ ବର୍ଷ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିବା ସତ୍ୱେ ଓ ପାଖରେ ଓ ଏମ ସି ଭଳି କୁବେର କମ୍ପାନୀ ଥାଇ ମଧ୍ୟ ଭୁତୁଡ଼ା ପଞ୍ଚାୟେତର ବିକାଶ ଏବେବି ଅପହଞ୍ଚ l ଗାଁ କୁ ନାହିଁ ସବୁଦିନିଆ ପକ୍କା ରାସ୍ତା l ଇଣ୍ଟର୍ନେଟ ଓ ବିଜୁଳି ବତୀ ଭଳି ମୌଳିକ ସୁବିଧା ଏଠି ସତେ ଯେପରି ସାତ ସପନ l ଜନ ଶୁଣାଣିରେ ବାରମ୍ବାର ଅଭିଯୋଗ ପରେବି ଶୁଣୁନି ଜିଲ୍ଲା ପ୍ରଶାସନ l ଭୁତୁଡ଼ା ପଞ୍ଚାୟେତରେ ଏବେବି ଏଭଳି ଗାଁ ଅଛି ଯେଉଁଠି ସରକାରୀ ବାବୁଙ୍କ ଏ ଯାଏଁ ପାଦ ବି ପଡିନି l

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଲହୁଣୀପଡ଼ା ବ୍ଲକ ଭତୁଡ଼ା ପଞ୍ଚାୟେତ ଏକ ଖଣି ଖାଦାନ ଭରା ପଞ୍ଚାୟେତ l ପି ଏମ ପି ଏଲ ଏବଂ ଓ ଏମ ସି ର ବିରାଟ ଖଣି ମଧ୍ୟ ଏଠାରେ ଅବସ୍ଥିତ l ଖଣି ଉତ୍ତୋଳନ ଯୋଗୁଁ ରାଜ୍ୟ ରାଜକୋଷକୁ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଯାଏ କିନ୍ତୁ ଏବେବି ଏଠି ଇଣ୍ଟେର୍ନେଟ ସୁବିଧା ପାଇଁ ଦୀର୍ଘ ଚାରି କିଲୋମିଟର ଓ ଏମ ସି ଅଫିସ ନିକଟକୁ ଯିବାକୁ ପଡେ l ରାସ୍ତାର ଅବସ୍ଥା ଏତେ ସାଙ୍ଘାତିକ ଯେ କହିବା ମୁସ୍କିଲ l ଆଯିବି ଦୁର୍ଦ୍ଦିନ ଓ ଦୁର୍ବିସହ ଭିତରେ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି ସମଗ୍ର ପଞ୍ଚାୟେତ ବାସୀ, ହେଲେ ନା ଶୁଣୁଛି ଜିଲ୍ଲା ପ୍ରଶାସନ ନା ନଜର ପଡୁଛି ସରକାରଙ୍କର l

ପଞ୍ଚାୟେତର ମୌଳିକ ସମସ୍ୟା ନେଇ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ଚଳିତ ବର୍ଷ ଜାନୁଆରୀ ଷୋହଳ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଥିଲେ ନିଜେ ସରପଞ୍ଚ ବାସନ୍ତୀ ମୁଣ୍ଡା l କିନ୍ତୁ ଏହାର କୌଣସି ସୁଫଳ ନ ମିଳିବାରୁ ଏପ୍ରିଲ ମାସରେ ପୁନର୍ବାର ସମ୍ପୃକ୍ତ ସମସ୍ୟା ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କଲେ ସରପଞ୍ଚ l ଅଭିଯୋଗ ପରେ ଅଭିଯୋଗ ସତ୍ୱେ ପ୍ରତିବଦଳରେ ମିଳିଲା କେବଳ ପ୍ରତିଶୃତି ଆଉ ଆଶ୍ୱାସନା l ହଁ ହେଇଯିବ, ସବୁ ସୁବିଧା ସୁଯୋଗ କରିଦିଆ ହେବ କହି କାମ ସାରିଦେଲା ପ୍ରଶାସନ । ହେଲେ ଯଥା ପୂର୍ବଂ ତଥା ପରମ, ଅର୍ଥାତ ସ୍ଥିତି କାଲି ଯାହା ଥିଲା ଆଜିବି ସେଇୟା l

ଏ ନେଇ ଆଜି ଭୁତୁଡ଼ା ସରପଞ୍ଚ ଶ୍ରୀମତୀ ବାସନ୍ତୀ ମୁଣ୍ଡା ଏବଂ ସମିତି ମେମ୍ବର ମହିମା ବାର୍ଲା ପୁନର୍ବାର ଏକ ଲିଖିତ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ନିକଟକୁ ଯାଇଥିଲେ, କିନ୍ତୁ ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଏ ଡି ଏମ ରବି ନାରାୟଣ ସାହୁଙ୍କ ସହିତ ସାକ୍ଷାତ କରି ଅଭିଯୋଗ ପତ୍ର ଦେଇଥିବା ଜଣାପଡିଛି l

ଭୁତୁଡ଼ା ପଞ୍ଚାୟେତ ରଜାବସାରେ ଥିବା ଶହେ ଶଯ୍ୟା ବିଶିଷ୍ଟ ଏକ ଆବାସିକ ସେବାଶ୍ରମ ଗଲା ପ୍ରାୟ ବର୍ଷେ ହେବ ନିର୍ମାଣ ସରିଛି କିନ୍ତୁ ପାଠ ପଢା ଏ ଯାଏଁ ଆରମ୍ଭ ହେଇ ପାରିନାହିଁ । ଯାହା ଫଳରେ ପଞ୍ଚାୟେତର ଅନେକ ଛାତ୍ର ଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଏବଂ ପଞ୍ଚାୟେତର ପାଳକୁଦର ଗାଁ ରୁ ବାଟଗାଁ, କେମଶଳା ଓ ଭୁତୁଡ଼ା ଭଳି ଅନେକ ଗାଁର ରାସ୍ତା ସମସ୍ୟା, ବିଜୁଳିବତୀ ସମସ୍ୟା ଓ ନେଟୱାର୍କ ଇଣ୍ଟରନେଟ ସମସ୍ୟା ନେଇ ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଥିବା ବେଳେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଯଦି ଭୁତୁଡ଼ା ପଞ୍ଚାୟେତର ଗାଁ ଗୁଡିକରେ ମୌଳିକ ସୁବିଧା ସୁଯୋଗର ସୁ ବନ୍ଦୋବସ୍ତ କରା ନ ଯାଏ ତେବେ ଭୋଟ ବର୍ଜନ ପାଇଁ ସମଗ୍ର ପଞ୍ଚାୟେତ ବାସୀ ନିଷ୍ପତି ନେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି l ସେପଟେ ଏନେଇ ଜିଲ୍ଲାପାଳଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

Leave A Reply

Your email address will not be published.