ଅନୁଗୋଳ ଜିଲ୍ଲା ବନ୍ତଳାରେ ଆଜି ସକାଳେ ଗାଁ ପାଖ ଆମ୍ବବଣକୁ ଆମ୍ବ ତୋଳିବାକୁ ଯାଇଥିବା ୨ ମହିଳାଙ୍କୁ ହାତୀ ଦଳିଦେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ, ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ପ୍ରାପ୍ତ ସୂଚନାରୁ ଜଣା ଯାଇଛି ଯେ ବନ୍ତଳାର ମୂଳି ପ୍ରଧାନ(୫୦) ଓ ଗୌରୀ ରାଉଳ(୪୫) ସକାଳୁ ଆମ୍ବ ତୋଳିବାକୁ ଆମ୍ବବଣକୁ ଯାଇଥିଲେ, ସେଠାରେ ଏକ ଦନ୍ତାହାତୀ ସେମାନଙ୍କୁ ଆକ୍ରମଣ କରିଥିଲା, ମୂଳି ପ୍ରଧାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ଏହି ଅଞ୍ଚଳରେ ହାତୀ ଉତ୍ପାତ ବଢିବାରେ ଲାଗିଛି, ଗତ ସପ୍ତାହରେ ଅପ୍ରେଲ ୧୮ ତାରିଖ ଦିନ ସ୍ଥାନୀୟ କଣ୍ଟାମେଘା ଗାଁର ରାମ ସାହୁ ନାମକ ଜଣେ ୬୪ ବର୍ଷ ବୟସ୍କ ବୃଦ୍ଧଙ୍କୁ ଭୋର ୫.୩୦ ସମୟରେ ଏହି ଯାଗାରେ ଏକ ଦନ୍ତାହାତୀ ମାରି ଦେଇଥିଲା। ଉଲ୍ଲେଖଯୋଗ୍ୟ ଯେ ଗତ ୪ ମାସ ମଧ୍ୟରେ ଅନୁଗୋଳ ବ୍ଲକରେ ୧୦ ଜଣ ଲୋକ ହାତୀ ଆକ୍ରମଣରେ ମୃତ୍ୟୁ ମୁଖରେ ପଡିଛନ୍ତି।