କାଲି ବିଧାନସଭା ସଭାରେ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କୁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଲେ ଇଡିଅଟ, ତାଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ହେଉଛି ଗୋବରଘଷି ଗଦା ! ବିଭାଗୀୟ ସଚିବଙ୍କୁ ମୁଖ୍ୟ ସଚିବଙ୍କ ସାମ୍ନାରେ ସେ କହିଥିଲେ, ଚିଠି ଲେଖିଥିଲେ। ହେଲେ ଓଡିଶାରେ ତ’ ଚାଲିଛି ‘ନାହିଁ ନାହିଁ’ର ସରକାର – କାମ ହେବ କୁଆଡ଼ୁ ! ଶ୍ରୀ ବାହିନୀପତି କହିଲେ ଯେ କେଉଁଠି ଶିକ୍ଷକ ନାହାନ୍ତି, କେଉଁଠି ପୁଣି କୋଠାଘର ନାହିଁ।
ଗୋଟିଏ ଶ୍ରେଣୀଗୃହରେ ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି କ୍ଲାସର ପିଲାମାନେ ଏକାଠି ବସିଥିବ, ଆଉ ସେମାନଙ୍କୁ ପାଠ ପଢାଉଥିବେ ଜଣେ ଶିକ୍ଷକ।
ଏଥିରୁ ଶିକ୍ଷାର ମାନ ବୁଝାପଡୁଛି ବୋଲି ଉଲ୍ଲେଖ କରି ଜୟପୁର ବିଧାୟକ କହିଲେ ଯେ ସରକାର ୧୨ ପ୍ରକାର ଶିକ୍ଷକ ରଖିଛନ୍ତି, ଗୋଟିଏ ପ୍ରକାରର ଶିକ୍ଷକ ମାସକୁ ୬୦ ହଜାର ଦରମା ପାଉଥିବା ବେଳେ ଅନ୍ୟ ପ୍ରକାରର ଶିକ୍ଷକ ମାସକୁ ମାତ୍ର ୬/୭ ହଜାର ଟଙ୍କା ପାଉଛନ୍ତି।