ହନିଟ୍ରାପ ମାମଲାରେ ସଂଶ୍ଳିଷ୍ଟ ବିଜେଡି ନେତା ଓ ହତ୍ୟା ଅଭିଯୁକ୍ତ ମନ୍ତ୍ରୀ ପଦ୍ମପୁରରେ ପ୍ରଚାର କରୁଛନ୍ତି : ଧର୍ମେନ୍ଦ୍ର ପ୍ରଧାନ
ପଦ୍ମପୁରରେ ବିଜେପିର ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ବିରୋଧରେ ପୋଲିସ କାର୍ଯ୍ଯାନୁଷ୍ଠାନକୁ କଠୋର ସମାଲୋଚନା କରି ବିଜେଡି ଉପରେ ଗର୍ଜିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ! ଜିଏସଟି ଚଢ଼ାଉ ଘଟଣାରେ ବିଜେପି ସମର୍ଥକ ଗୋବର୍ଦ୍ଧନ ଅଗ୍ରଓ୍ଵାଲଙ୍କ ସ୍ତ୍ରୀଙ୍କୁ ଚଢ଼ାଉକାରୀ ଅଧିକାରୀମାନେ ୯ ଘଣ୍ଟାରୁ ଅଧିକ କାଳ ଅଟକ ରଖିବା ବିରୋଧରେ ପ୍ରତିବାଦ କରିବାରୁ ଶ୍ରୀମତୀ ଟେଟେଙ୍କ ବିରୋଧରେ ପୋଲିସ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଯାଇଛି। ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରି ବାଡିକଟା ଓ ଖରିମାଳରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କୁସୁମ ଟେଟେ କୌଣସି ଘୋଟାଲା ବା ହନିଟ୍ରାପରେ ସଂଶ୍ଳିଷ୍ଟ ନାହାନ୍ତି କିମ୍ବା ତାଙ୍କ ବିରୋଧରେ କିଛି ଦୁର୍ନୀତି ଅଭିଯୋଗ ନାହିଁ, ଏଭଳି ମାମଲାରେ ସଂଶ୍ଳିଷ୍ଟ ଥିବା ନେତାମାନଙ୍କୁ ଓ ହତ୍ୟାକାଣ୍ଡ ଭଳି ଅଭିଯୋଗରେ ଅଭିଯୁକ୍ତ ମନ୍ତ୍ରୀଙ୍କୁ ବିଜେଡି ପଦ୍ମପୁରରେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିଛି – ଲୋକେ ବିଜେଡିକୁ ଉଚିତ ଜବାବ ଦେବାକୁ ଶ୍ରୀ ପ୍ରଧାନ ଆହ୍ଵାନ ଦେଇଛନ୍ତି !