ଦେବଗଡ଼ : ଦେବଗଡ଼ ଜିଲ୍ଲାର ଏକମାତ୍ର ବିଧାନସଭା ନିର୍ବାଚନୀ ମଣ୍ଡଳୀରେ କ୍ଷମତାସିନ ବିଜେପିର ସାଂସଦ ଓ ବିଧାୟକଙ୍କ କଳି ହାଟରେ ପଡ଼ି ଦାଣ୍ଡରେ ଗଡୁଥିବା ବେଳେ ହକି ବିଶ୍ୱକପକୁ ସ୍ୱାଗତ କରିବା ଆଳରେ ବିଧାୟକ ଓ ସାଂସଦଙ୍କ କଳି ପୁଣି ଥରେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଗତ ୫ ତାରିଖ ଦିନ ଦେବଗଡ଼ ଜିଲ୍ଲାରେ ହକି ବିଶ୍ୱକପ୍ ନଗର ଶୋଭାଯାତ୍ରାରେ ବାହାରି ଥିବା ବେଳେ ରାଜବାଟୀ ସମ୍ମୁଖରେ ଟ୍ରଫିକୁ ସ୍ୱାଗତ ପାଇଁ ଘରୋଇ ବସ ମାଲିକ ସଙ୍ଘର ସଦସ୍ୟ ତଥା ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ସମ୍ପର୍କୀୟ ଭାଇ ସତ୍ୟ ନାରାୟଣ ପାଣି ଉପସ୍ଥିତ ଥିଲେ।
ସେଠାରେ ସମ୍ବଲପୁର ଲୋକସଭା ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ରାଣୀ ଅରୁନ୍ଧତୀ ଦେବୀ ମଧ୍ୟ ଥିଲେ। ତେବେ ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ କଥାକଟି ହୋଇଥିଲା, ଯାହା ଏବେ ଗୁରୁତର ଆକାର ଧାରଣ କରି ମାମଲା ଥାନାରେ ପହଞ୍ଚିଛି।
ସତ୍ୟନାରାୟଣ ସର୍ବ ସମ୍ମୁଖରେ ରାଣୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଗାଳିଗୁଲଜ କରି ନାନା ଧମକ ଦେଇଥିବା ନେଇ ରାଣୀ ଅରୁନ୍ଧତୀ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ସତ୍ୟନାରାୟଣ ମଧ୍ୟ ରାଣୀ ଅରୁନ୍ଧତୀ ତାଙ୍କୁ ସର୍ବ ସମ୍ମୁଖରେ ଧମକ ଦେବା ଏବଂ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅରୁନ୍ଧତୀଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ କରିଛନ୍ତି।
ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।