ଆଜି ସକାଳ ୭ଟାରୁ ଝାରସୁଗୁଡାରେ ଭୋଟଦାନ ଚାଲିଛି। ଦିନ ୧୧ଟା ସୁଦ୍ଧା ୨୦.୩୮% ମତଦାନ ହୋଇଥିବା ସୂଚନା ମିଳିଛି,ଏହି ସମୟ ମଧ୍ୟରେ ୨୪୩୯୮ ପୁରୁଷ ଭୋଟର ଓ ୨୦୭୮୫ ମହିଳା ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।ଝାରସୁଗୁଡାରେ ଏବେ ୪୦ ଡିଗ୍ରୀ ତାପମାତ୍ରା ରହିଛି । ଏହି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢିବ ବୋଲି କୁହାଯାଉଛି । ତେଣୁ ଟିକେ ତାତି କମିଲେ ମତଦାନ ହାର ବଢିବ ବୋଲି ଆଶା କରାଯାଉଛି।
ଇତିମଧ୍ୟରେ ସରବହାଲରେ ୩୩ ନମ୍ବର ବୁଥରେ ନିଜ ପରିବାର ସହ ଭୋଟ ଦେଇଛନ୍ତି ବିଜେଡି ପ୍ରାର୍ଥୀ ଦିପାଳୀ ଦାସ । ଭୋଟ ଦେଇ ସାରିବା ପରେ ସେ କହିଛନ୍ତି ଯେ ଝାରସୁଗୁଡାବାସୀ ସଠିକ ପ୍ରାର୍ଥୀ ବାଛିବେ, ବହୁ ଭୋଟରେ ବିଜୟିନୀ ହେବେ ସେ !
ଦିପାଳୀ କହିଛନ୍ତି ଯେ ତାଙ୍କ ବାପା ଏହି ଆସନରେ ୩ ଥର ବିଧାୟକ ହୋଇଛନ୍ତି, ୨୦୧୯ରେ ସେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ନିଜ ସ୍ବର୍ଗୀୟ ପିତାଙ୍କ ଆଶୀର୍ବାଦ ଓ ଝାରସୁଗୁଡାବାସୀଙ୍କ ଆଶୀର୍ବାଦ ରହିଛି, ତେଣୁ ବହୁ ଅଧିକ ଭୋଟରେ ଜିତିବେ ବୋଲି କହିଛନ୍ତି ଦିପାଳୀ।