ବିଧାନସଭା ଅଧିବେଶନର ପ୍ରଥମ ଦିନରେ ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟ ଗତକାଲି କରିଥିବା ଭର୍ତ୍ସନା ପ୍ରସଙ୍ଗରେ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ପରସ୍ପର ଲଢାଲଢି ହୋଇଛନ୍ତି । ଦେଶରେ ସମ୍ପ୍ରତି ଦେଖାଦେଇଥିବା ହିଂସା ଓ ହତ୍ୟାକାଣ୍ଡ ପାଇଁ ନୂପୁରଙ୍କୁ ଦାୟୀକରି ଉଚ୍ଚତମ ନ୍ଯାୟାଳୟ ଯେଉଁ ଭର୍ତ୍ସନା କରିଛନ୍ତି ତାହା ପରୋକ୍ଷରେ ବିଜେପି ଉଦ୍ଦେଶ୍ୟରେ ଅଭିପ୍ରେତ ବୋଲି କହିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଶ୍ରୀ ମିଶ୍ରଙ୍କ ଆକ୍ରମଣରେ ଚିହିଁକି ଉଠିଥିଲେ ବିଜେପି ବିଧାୟକମାନେ ! ଉଦୟପୁରରେ କଂଗ୍ରେସ ସରକାର ଥିବା ବେଳେ ସେଠାରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡ ଓ କଶ୍ମୀର ପଣ୍ଡିତଙ୍କ ଉପରେ ହେଉଥିବା ହିଂସା କଥା ଉଠାଇ କଂଗ୍ରେସକୁ ଘେରିଥିଲେ ସେମାନେ । ଅବସ୍ଥା ଅସମ୍ଭାଳ ହେବାରୁ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି ।