ପ୍ରେମିକ ସାଜିଲା ସୈତାନ। ପ୍ରେମ ଜାଲରେ ଫସାଇ ପ୍ରେମିକାକୁ ଦେଲା ବିଷ। ବିଷ ପିଇ ଆଖି ବୁଜିଲା ପ୍ରେମିକା। ଏପରି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା, ଧର୍ମଗଡ ବ୍ଲକ ବେହେରା ପଞ୍ଚାୟତ ନୂନପାଣି ଗାଁରେ। ସୂଚାନୁସାରେ ସେହି ଗାଁର ରିମା ନାଗ ଓ ପ୍ରେମିକ ସମୀର ପୁଝାରିଙ୍କ ପ୍ରେମ ସମ୍ପର୍କ ଦୀର୍ଘ ୨ ବର୍ଷ ଧରି ଗଢିଉଠିଥିଲା। ଦୁଇଜଣ ଅଲଗା ଅଲଗା ଜାତିର ହୋଇଥିବା ଯୋଗୁଁ ପ୍ରେମରେ ଅସନ୍ତୋଷ ଦେଖା ଦେଇଥିଲା।ଏହା ପରେ ରିମା ସମୀରଙ୍କୁ ବିବାହ କରିବାକୁ ଜିଦ୍ ଧରି ବସିଥିବା ବେଳେ, ସମୀର ଅନ୍ୟ ଏକ ଜାତିର ହୋଇଥିବା ନେଇ ବିବାହକୁ କରିବାକୁ ମନା କରିଦେଇଥିଲା।
ଏହା ପରେ ଏକ ବିଷ ବୋତଲ ଦେଇ ରିମାଙ୍କୁ ମରିଯିବାକୁ କହି ସେଠାରୁ ଚାଲିଯାଇଥିଲା ସମୀର । ଶେଷରେ ପ୍ରେମିକା ରିମା ନିରାଶ ହୋଇ ସମୀର ଦେଇଥିବା ବିଷକୁ ନେଇ ଗତ ୧୯ ତାରିଖ ଦିନ ସମୀରଙ୍କ ଘରକୁ ଯାଇ ସେଠାରେ ବିଷ ପିଇଥିଲେ ବୋଲି ରୀମାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବିଷ ପିଇ ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଧର୍ମଗଡ଼ ହସ୍ପିଟାଲ, ପରେ ଭବାନୀପାଟଣା ଆଉ ଶେଷରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଗତକାଲି ରିମାଙ୍କର ମୃତ୍ୟୁ ହୋଇଛି। ତେବେ ରିମାଙ୍କ ମର ଶରୀର ସନ୍ଧ୍ୟା ୭ଟାରେ ଗାଁରେ ପହଞ୍ଚିବା ପରେ ରିମାଙ୍କ ପରିବାର ନିଜ ଘରକୁ ଶବ ନ ଆଣି ସିଧାସଳଖ ସମୀରଙ୍କ ଘର ସମ୍ମୁଖରେ ଶବ ରଖି ସମୀରଙ୍କୁ ଗିରଫ କରିବା ପାଇଁ ଦାବି କରି ଧାରଣା ଦେଇଥିଲେ। ଏନେଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରିମାଙ୍କ ପରିବାରକୁ ବୁଝାଶୁଝା କରିବା ସହ ଅଭିଯୁକ୍ତ ପ୍ରେମିକ ସମୀରକୁ ଗିରଫ କରିଛି ।