କଟକ ଏସସିବିର 7 ଜଣ ଡାକ୍ତରଙ୍କ ନାମରେ ଚାର୍ଜସିଟ ଦାଖଲ

କଟକ: ଗତବର୍ଷ ଅକ୍ଟୋବର ମାସରେ ଜଣେ ଓକିଲଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର 7 ଜଣ ଡାକ୍ତରଙ୍କ ନାମରେ ଚାର୍ଜସିଟ ଦାଖଲ କରାଯାଇଛି। ସୂଚାନୁସାରେ, କଟକ ଏସସିବିରେ ଓକିଲ ସପନ କୁମାର ପାଲଙ୍କୁ ଆକ୍ରମଣ କରିବା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଚାର୍ଜସିଟ ଦାଖଲ କରାଯାଇଛି।

କଟକ ଡିସିପି ପିନାକ ମିଶ୍ର ହାଇକୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ସିସିଟିଭି ଫୁଟେଜ ଆଧାରରେ ଲୋୟର କୋର୍ଟରେ 7 ଜଣ ଡାକ୍ତରଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି। ତେବେ ଘଟଣାଟି ଏପରି ଥିଲା ଯେ, ଓକିଲ ସପନ ପାଲ 21 ଅକ୍ଟୋବର 2021 ରେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ କଟକ ଏସସିବିକୁ ନେଇ ଯାଇଥିଲେ । ସେଠାରେ ଡ଼ାଇଗନୋସିସକୁ ନେଇ ଡାକ୍ତରମାନଙ୍କୁ ପଚରାଉଚରା କରିବା ପରେ ଡାକ୍ତରମାନେ ତାଙ୍କୁ ଆକ୍ରମଣ କରିଥିଲେ।

ଏନେଇ ସପନ ପାଲ ମଙ୍ଗଳାବାଗ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ହେଲେ ସେତେବେଳେ ପୋଲିସ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଶେଷରେ ଆଇନର ସାହାଯ୍ୟ ନେଇ ଥିଲେ ସପନ ପାଲ । ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମଙ୍ଗଲବାଗ ପୋଲିସ ସିସିଟିଭି ଫୁଟେଜ ଆଧାରରେ 7 ଜଣ ଡାକ୍ତରଙ୍କ ନାମରେ ଚାର୍ଜସିଟ ଦାଖଲ କରାଯାଇଛି ବୋଲି କହିଛନ୍ତି ଆବେଦନକାରୀଙ୍କ ଓକିଲ ନିଶିକାନ୍ତ ମିଶ୍ର।

Leave A Reply

Your email address will not be published.