୨୦୨୪ ନିର୍ବାଚନରେ ନବୀନଙ୍କୁ ଗାଦିଚ୍ୟୁତ କରିବାକୁ ଲକ୍ଷ୍ୟ ରଖିଛି ବିଜେପି, ଏଥିପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି।ଏବେ କର ବା ମର ସ୍ଥିତି। ସମସ୍ତଙ୍କର ଗୋଟାଏ ଲକ୍ଷ୍ୟ – ତାହା ହେଉଛି ଓଡ଼ିଶାରୁ ବିଜେଡିକୁ ଗାଦିଚ୍ୟୁତ କରିବା।
ତେଣୁ ଏଥିନିମନ୍ତେ ଏପରି ଜୋରଦାର ଲଢ଼େଇ ହେବ ଯାହା କେହି କେବେ ଭାବି ନ ଥିବେ।
ପୁରୀରେ ବିଜେପିର ୩ ଦିନିଆ ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ଦିନରେ ସାମ୍ବାଦିକମାନଙ୍କୁ ଏକଥା କହିଛନ୍ତି ପୂର୍ବତନ ବିଧାୟକ ତଥା ଦଳର କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ।
ଓଡିଶାରୁ ଅଲଗା ହୋଇ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାକୁ ନେଇ ଏକ ସ୍ଵତନ୍ତ୍ର ରାଜ୍ୟ କରିବା ଦାବିକୁ ସମର୍ଥନ କରୁଥିବା ଶ୍ରୀ ପୁରୋହିତ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ଓଡିଶାରୁ ବିଦା ନହେଲେ ଓଡ଼ିଶାର ଧର୍ମ, ସଂସ୍କୃତି ଧ୍ୱଂସ ପାଇବ, ଆର୍ଥିକ ଅବସ୍ଥା ଦୁର୍ବଳ ହେବ – ସେଥିପାଇଁ ଓଡ଼ିଶାରେ ଲଢ଼େଇ ଜୋରଦାର ହେବ,କର ବା ମର ଡାକରା ଦେବ ଭାଜପା !
ବିଜେଡି ପାଇଁ କାମ କରୁଥିବା ସରକାରୀ କର୍ମଚାରୀଙ୍କୁ ମଧ୍ୟ ସତର୍କ କରାଇ ଦେଇଛନ୍ତି ଶ୍ରୀ ପୁରୋହିତ।
ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ଦିନରେ ଆଜି ଦଳର ତୁଙ୍ଗ ନେତାଙ୍କ ସମେତ ୩୬ଟି ସାଙ୍ଗଠନିକ ଜିଲ୍ଲାର କର୍ମୀ, ଉଚ୍ଚ ପଦସ୍ତ ଅଧିକାରୀ ଯୋଗ ଦେଇଛନ୍ତି।
ଶିବିରରେ ଉପସ୍ଥିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ ଓଡ଼ିଶାରେ ଏଥର ଲଢେଇ ଜୋରଦାର ହେବ ।
ଗତକାଲି ନବୀନ ପଟ୍ଟନାୟକଙ୍କ ବିଜେଡି ସରକାରକୁ ସମୁଦ୍ରକୁ ପେଲି ଦିଆଯିବ ବୋଲି ଆସ୍ଫାଳନ କରିଥିବା ବିଜେପି ସାଂସଦ ଜୁଏଲ ଓରାମ ଆଜି କହିଛନ୍ତି ଯେ ବିଧାନସଭାରେ ୧୨୦ ଆସନ ଜିତିବା ପାଇଁ ଦଳର ସଙ୍ଗଠନ ଶକ୍ତି ବଢ଼ାଯାଉଛି।
ସାଂସଦ ସୁରେଶ ପୂଜାରୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜୟୀ ହୋଇ ସରକାର ଗଢିବାକୁ ମୂଳଲକ୍ଷ୍ଯ ରଖାଯାଇଛି ।