ରାକେଶ କୁମାର ଜଗଦେବ (ଖୋର୍ଦ୍ଧା) : ନିୟମିତ ଜାମିନ ପାଇଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ପୁର୍ବରୁ ସୁପ୍ରିମକୋର୍ଟ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ଦେଇସାରିଥିବା ବେଳେ ବାଣପୁର କୋର୍ଟରେ ଓକିଲମାନଙ୍କ ଧର୍ମଘଟ ଚାଲିଥିବାରୁ ନିୟମିତ ଜାମିନ ନେଇପାରିନଥିଲେ ଚିଲିକା ବିଧାୟକ । ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ବିଧାୟକ ପିଆର ବଣ୍ଡ ରେ ବାଣପୁର ଜେଲରୁ ପାଇଥିଲେ ଜାମିନ । ତେବେ ବର୍ତ୍ତମାନ ଓକିଲଙ୍କ ଧର୍ମଘଟ ସ୍ଥଗିତ ହୋଇଥିବାସ୍ଥଳେ ଆଜି ମଧ୍ୟାହ୍ନରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବାଣପୁର ଜେଏମଏଫସି କୋର୍ଟରେ ହାଜର ହୋଇ ନିୟମିତ ଜାମିନ ପାଇଛନ୍ତି । ଦୁଇ ଗୋଟି ଜାମିନଦାର ଓ ୩୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକା ବଦଳରେ ଜାମିନ ପାଇଛନ୍ତି ବିଧାୟକ । ତେବେ ଉକ୍ତ ମାମଲା ଆଜି ବାଣପୁର ଜେଏମଏଫସି କୋର୍ଟରୁ ଭୁବନେଶ୍ୱର ଏଡ଼ିଜେ-୩ କୋର୍ଟକୁ ସ୍ଥାନାନ୍ତରିତ ହୋଇଥିବାର ବାଣପୁର ଜେଏମଏଫସି କୋର୍ଟ ସରକାରୀ ଓକିଲ ପ୍ରାଚୀ ପ୍ରଭା ନନ୍ଦ ସୂଚନା ଦେଇଛନ୍ତି । ଆଇନ ଶୃଙ୍ଖଳା ଦୃଷ୍ଟିରୁ କୋର୍ଟ ପରିସର ଏବଂ ବାହାରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବିଧାୟକଙ୍କ ପକ୍ଷରୁ ଆଇନଜୀବୀ ଜଗନ୍ନାଥ ଭୋଳ ଏବଂ ସୁଧୀର କୁମାର ପ୍ରଧାନ ମାମଲା ପରିଚାଳନା କରୁଥିଲେ ।