ଅନୁଗୋଳର ୧୯ ବର୍ଷୀୟ ଯୁବକ ବାଦଲ ନାୟକ କଟକ ବାଦାମବାଡିର ଜନୈକା ୧୭ ବର୍ଷ ବୟସ୍କା ନାବାଳିକାକୁ କ୍ରମାଗତ ତୃତୀୟ ଥର ଅପହରଣ କରିବା ଘଟଣାରେ କମିଶନରେଟ ପୋଲିସ ଦ୍ଵାରା ଗିରଫ ହୋଇଛି। ବିଡାନାସୀର ‘ବସୁନ୍ଧରା’ ଆଶ୍ରମ ପକ୍ଷରୁ ନାବାଳିକା ଅପହରଣ ନେଇ ପୋଲିସରେ ଅଭିଯୋଗ କରାଯାଇଥିଲା। ଉଦ୍ଧାର ପରେ ଡାକ୍ତରୀ ପରୀକ୍ଷା କରାଯାଇ ନାବାଳିକାକୁ ‘ବସୁନ୍ଧରା’ ଛଡା ଯାଇଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅନୁଗୋଳର ଏହି ପ୍ରେମ ପାଗଳ ଯୁବକ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଏହି ନାବାଳିକା ସହ ପରିଚଯ ଜୁଟାଇ ଥିଲା, ୪ ମାସତଳେ କଟକ ଆସିଥିବା ବେଳେ ସେ ଯୁବତୀକୁ ଅପହରଣ କରି ଗିରଫ ହୋଇଥିଲା। ୨ ମାସ ତଳେ ଜେଲରୁ ଜାମିନରେ ଖଲାସ ହେବା ପରେ ବାଦଲ ପୁଣିଥରେ ସେହି ନାବାଳିକାକୁ ଅପହରଣ କରି ନେଇଥିଲା, ବାଳିକାଟିର ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଣିଥରେ ଗିରଫ ହୋଇଥିଲା ସେ। ଉଦ୍ଧାର ହେବା ପରେ ନାବାଳିକାକୁ ତାର ସୁରକ୍ଷା ଦୃଷ୍ଟିରୁ ଅସହାୟା ବାଳିକା ଓ ମହିଳାମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ଥାନୀୟ ‘ବସୁନ୍ଧରା’ ଆଶ୍ରମରେ ରଖାଯାଇଥିଲା।
ମାତ୍ର ଗତ ମାସରେ ପୁଣିଥରେ ଜାମିନରେ ଖଲାସ ହେବାପରେ ପ୍ରେମପାଗଳ ଯୁବକ ପୁଣିଥରେ ଅପହରଣ କରିଥିଲା ସେହି ନାବାଳିକାକୁ ! ଇମର୍ତ୍ତିଦେବୀ ମହିଳା କଲେଜରେ +୨ ପରୀକ୍ଷା ଦେବାକୁ ଯାଇଥିବା ବେଳେ ତାକୁ ସେଠାରୁ ଉଠାଇ ନେଇଥିଲା ବାଦଲ !