ବ୍ୟାଙ୍କ ସୁରକ୍ଷା କର୍ମୀଙ୍କ ଗୁଳିରେ ୩ ଗୁରୁତର

ରାଜଗାଙ୍ଗପୁର (ରଞ୍ଜିତ ରାଉତ) : କ୍ୟାସ୍ ଭ୍ୟାନ୍‌ରେ ଟଙ୍କା ଲୋଡ଼ ସମୟରେ ଅଘଟଣ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ସାପ୍ତାହିକ ବଜାର ସାମ୍ନାରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ନିକଟରେ ସୁରକ୍ଷା କର୍ମୀଙ୍କ ବନ୍ଧୁକ ଫୁଟି ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତଙ୍କୁ ଚିକିତ୍ସା ପାଇଁ ରାଜଗାଙ୍ଗପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସୁରକ୍ଷା କର୍ମୀଙ୍କୁ ଧରି ଥାନାରେ ଜିମା ଦିଆଯାଇଛି । ଗୁରୁବାର ପ୍ରାୟ ୧୦ଟା ସମୟରେ ଏକ କ୍ୟାସ୍ ଭ୍ୟାନ୍ (ଓଡି ୦୨ ବିସି ୩୫୫୦) ଟଙ୍କା ନେବାକୁ ରାଜଗାଙ୍ଗପୁର ଆଇସିଆଇସିଆଇ ବ୍ୟାଙ୍କକୁ ଆସିଥିଲା। ଭ୍ୟାନ୍‌ରେ ଟଙ୍କା ଭର୍ତ୍ତି ହେଉଥିବା ସମୟରେ ଭ୍ୟାନରେ ନିୟୋଜିତ ଏସ୍ ଆଣ୍ଡ ଆଇବି ସୁରକ୍ଷାକର୍ମୀ ରଞ୍ଜିତ କୁମାର ଧରିଥିବା ଡବଲ ବ୍ୟାରେଲ ବନ୍ଧୁକରୁ ଅସାବଧାନତା ବଶତଃ ଗୁଳି ଫୁଟି ଯାଇଥିଲା। କେହି କିଛି ଜାଣିବା ପୂର୍ବରୁ ବ୍ୟାଙ୍କ ନିକଟରେ ଛିଡା ହୋଇଥିବା ତିନି ଜଣ ବ୍ୟକ୍ତିଙ୍କ ଦେହରେ ଗୁଳି ବାଜିଥିଲା । ଆହତମାନେ ହେଲେ ସ୍ଥାନୀୟ ଅଞ୍ଚଳର ଅନୁରାଗ ତନ୍ତୀ (୨୪ ବର୍ଷ), ଏମଡି ଇଲିୟାସ (୪୦ ବର୍ଷ) ଓ ସୀତା ଲାକ୍ରା। ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସ୍ଥାନୀୟ ଲୋକ ଭ୍ୟାନର ସୁରକ୍ଷା କର୍ମୀ ରଞ୍ଜିତକୁ କାବୁ କରି ଥାନାରେ ଦେଇଛନ୍ତି । ଖବର ପାଇ ରାଜଗାଙ୍ଗପୁର ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଗୁରୁତର ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି।

Leave A Reply

Your email address will not be published.