ଶ୍ରମତୀ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହେବାପରେ ଓଡିଶା ବିଜେପି ଶିବିରରେ ଉଦ୍ଦୀପନା ବଢିଯାଇଛି, ୨୦୨୪ରେ ରାଜ୍ୟରେ ସରକାର ଗଢିବାର ନିଶ୍ଚୟତାକୁ ନେଇ ବିଜେପି ନେତାମାନେ ବୟାନବାଜି ଆରମ୍ଭ କରି ଦେଇଛନ୍ତି।
ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ ଓଡ଼ିଆ ଝିଅ ବିଜେପି ନେତ୍ରୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଓଡ଼ିଶାରେ ତାଙ୍କ ଦଳ ଅଧିକ ସଶକ୍ତ ହୋଇଛି, ଆଗାମୀ ନିର୍ବାଚନରେ ୧୫ରୁ ଅଧିକ ଲୋକସଭା ଆସନରେ ଜୟଲାଭ କରିବା ସହ ପ୍ରତି ଲୋକସଭା କ୍ଷେତ୍ରରୁ ୩-୪ ବିଧାୟକ ଜିତି ରାଜ୍ୟରେ ସରକାର କରିବ ବିଜେପି।
ସେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଆସୁଛନ୍ତି, ଅଧିକ ଫୋକସ କରାଯାଉଛି ଓଡ଼ିଶାକୁ, ସାମ୍ପ୍ରତିକ ରାଜନୀତିର ଚାଣକ୍ୟ ତଥା ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପରେ ବିଜେପି ରାଜ୍ୟରେ ପ୍ରମୁଖ ଦଳ ଭାବେ ଉଭା ହେବ !
ଶ୍ରୀ ମାଝୀ ଦଳର ଭବିଷ୍ୟତ ସମ୍ପର୍କରେ ଏପରି ବୟାନବାଜି କରିଥିବା ବେଳେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବାହାସ୍ଫୋଟ ମାରି କହିଛନ୍ତି ଯେ ୨୦୨୪ ନିର୍ବାଚନରେ ବିରୋଧୀ ଶୂନ୍ୟ ହୋଇଯିବ ଓଡିଶା, ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହେବେ ।
ପ୍ରମିଳାଙ୍କ ତୋଡବାଜିକୁ ତାଙ୍କର ଅଳିକ ଅହଂକାର ବୋଲି ଅଭିହିତ କରି କଟକ ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ ବିଜେପି ଓ ବିଜେଡି କେବଳ କଥାରେ ସଲାକୁସ୍ତି କରୁଛନ୍ତି, ଅସଲରେ ସେମାନଙ୍କ ମଧ୍ୟରେ ଅଘୋଷିତ ମେଣ୍ଟ ରହିଛି।
ଲୋକେ ସବୁ ଜାଣି ସାରିଲେଣି, ଆଗାମୀ ନିର୍ବାଚନରେ ଫଳ ଓଲଟିଯିବ ବୋଲି ସେ କହିଛନ୍ତି।