ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାର ରହିବ କି ଯିବ – ତାକୁ ନେଇ ଏନସିପି ସୁପ୍ରିମୋ ଶରଦ ପାୱାର ଯେଉଁ ବୟାନ ଦେଇଛନ୍ତି, ତାହା ବିଜେପିର ଦୁକୁଦୁକି ଉପରେ ବୁଢାଆଙ୍ଗୁଠି ଟିପ ରଖି ଦାବି ଦେଲା ଭଳି ହୋଇଛି ! ଶ୍ରୀ ପାୱାର କହିଛନ୍ତି ଯେ କଂଗ୍ରେସ ଓ ଏନସିପି ଉଦ୍ଧବ ଥାକରେଙ୍କ ସରକାରରେ ମେଣ୍ଟ ସହଯୋଗୀ ଭାବେ ଦୃଢ ଅଛନ୍ତି, ଏକନାଥ ସିନ୍ଧେଙ୍କ ବିଦ୍ରୋହକୁ ବିଜେପିର ଖେଳ ଭାବରେ ଅଭିହିତ କରି ସେ କହିଛନ୍ତି ଯେ ସରକାର ରହିବ କି ନରହିବ ତାହାର ନିଷ୍ପତି ମହାରାଷ୍ଟ୍ରର ବିଧାନସଭାରେ ହିଁ ନିଆଯିବ ଓ ସେଥିପାଇଁ ବିଦ୍ରୋହୀ ବିଧାୟକମାନଙ୍କୁ ମୁମ୍ବାଇ ଆସିବାକୁ ପଡିବ ! ଶିବସେନାର ପ୍ରମୁଖ ନେତା ସଞ୍ଜୟ ରାଉତ ବିଦ୍ରୋହୀମାନଙ୍କୁ 24 ଘଣ୍ଟାରେ ମୁମ୍ବାଇ ଫେରି ଆସିବାକୁ ଦେଇଥିବା ଆହ୍ୱାନକୁ ତାଙ୍କ ଦଳର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହି ଶ୍ରୀ ପାୱାର କହିଛନ୍ତି ଯେ ବିଦ୍ରୋହୀମାନେ ମୁମ୍ବାଇ ଫେରି ଆସିଲେ କଣ ହେବ ସେକଥା ସେମାନେ ଭଲ ଭାବରେ ଜାଣିଛନ୍ତି !
ଶ୍ରୀ ପାୱାରଙ୍କ ଏପରି ବୟାନକୁ ନେଇ ଚିହିଁକି ଉଠିଛନ୍ତି ବିଜେପି ନେତାମାନେ, ସିନ୍ଧେ ଓ ତାଙ୍କର ବିଦ୍ରୋହୀ ସହଯୋଗୀଙ୍କ ଉପରେ ଆକ୍ରମଣର ଆଶଙ୍କା କରି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଯଦି କିଏ ସିନ୍ଧେ ଓ ତାଙ୍କ ବିଦ୍ରୋହୀ ଅନୁଗାମୀଙ୍କ ଉପରେ ଆକ୍ରମଣ କରିବ – ତେବେ ଶ୍ରୀ ପାୱାର ତାଙ୍କ ନିଜ ଘରେ ପହଂଚି ପାରିବେ ନାହିଁ !
ଉଲ୍ଲେଖନୀୟ ଯେ ଗୁଜୁରାଟର ସୁରଟରୁ ଖସି ମୁମ୍ବାଇ ଫେରି ଆସିଥିବା ଶିବସେନା ବିଧାୟକ ନୀତିନ ଦେଶମୁଖ ସାମ୍ବାଦିକ ସମ୍ମିଳନୀରେ କହି ସାରିଛନ୍ତି ଯେ ତାଙ୍କୁ ଭୁଲାଇ ସୁରଟ ନିଆଯାଇଥିଲା ଓ ସେଠାରେ ଗୁଜୁରାଟ ପୋଲିସ ସବୁ ଶିବସେନା ବିଧାୟକଙ୍କୁ ଜଗି ରହିଥିଲେ ! ଅନ୍ୟ ଜଣେ ଶିବସେନା ବିଧାୟକ ମଧ୍ୟ ମୁମ୍ବାଇ ଫେରିଆସିଛନ୍ତି ! ଏହା ଉପରେ କଟାକ୍ଷ କରି ଶ୍ରୀ ପାୱାର କହିଛନ୍ତି ଯେ ମୁମ୍ବାଇରେ ଗୁଜୁରାଟ ବା ଆସାମ ପୋଲିସ କଣ କରିପାରିବ ?