ମହାରାଷ୍ଟ୍ରରେ ଘଡିକେ ଘୋଡା ଛୁଟୁଛି : ସଞ୍ଜୟ କହିଲେ 24 ଘଣ୍ଟାରେ ଫେରିଆସ, ଏମଭିଏ ଛାଡିବାକୁ ଶିବସେନା ପ୍ରସ୍ତୁତ !

2 ଦିନ ତଳେ ବିଜେପି ଦ୍ୱାରା ପ୍ରାୟୋଜିତ ଖଳ-ନାଟକରେ ଶିବସେନାର ବରିଷ୍ଠ ବିଧାୟକ ଏକନାଥ ସିନ୍ଧେ ନାୟକ ଭୂମିକାରେ ଅବତୀର୍ଣ୍ଣ ହେବା ପରେ ମହାରାଷ୍ଟ୍ରରେ ଉଦ୍ଧବ ଥାକରେଙ୍କ ମହାବିକାଶ ଅଘାଡି ମେଣ୍ଟ ସରକାର ବିପଦର ଘନଘଟା ଭିତରକୁ ଠେଲି ହୋଇଯାଇଛି । ନିଜକୁ ଶିବସେନା ବିଧାୟକ ଦଳର ଆତ୍ମଘୋଷିତ ନେତା ଭାବରେ ସାଦର କରି ସିନ୍ଧେ ରାଜ୍ୟପାଳଙ୍କୁ ପତ୍ରଲେଖି ସାରିଛନ୍ତି, ଉଦ୍ଧବ ଥାକରେ ମହାରାଷ୍ଟ୍ରବାସୀଙ୍କୁ ଆବେଗଭରା ଉଦବୋଧନ ଦେଇ କହିଛନ୍ତି ଯେ ମୋ ନିଜ ଦଳର ଲୋକମାନେ ଯଦି ଚାହୁଁନାହାନ୍ତି,ତେବେ ମୁଁ ମୁଖ୍ୟମନ୍ତ୍ରୀ ପଦତ୍ୟାଗ କରିବାକୁ ପ୍ରସ୍ତୁତ, ହେଲେ ସିନ୍ଧେ ପ୍ରତିଶୃତି ଦେବେ କି ନୂଆ ସରକାର ଗଠିତ ହେଲେ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି !! ଇତିମଧ୍ୟରେ ଥାକରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଛାଡି ନିଜ ପୈତୃକ ନିବାସ ‘ମାତୋଶ୍ରୀ’କୁ ଫେରି ଆସିଲେଣି, ସେପଟେ ଆଜି ଶିବସେନାର ପ୍ରମୁଖ ନେତା ସଞ୍ଜୟ ରାଉତ ବିଦ୍ରୋହୀ ବିଧାୟକ ମାନଙ୍କୁ ଆହ୍ୱାନ ଦେଇ 24 ଘଣ୍ଟା ଭିତରେ ମୁମ୍ବାଇ ଫେରି ଆସିବାକୁ ଆମନ୍ତ୍ରଣ କରି କହି ସାରିଲେଣି ଯେ ଦଳ ମହାବିକାଶ ଅଘାଡି ମେଣ୍ଟ ଛାଡିବାକୁ ପ୍ରସ୍ତୁତ ! ସଞ୍ଜୟଙ୍କ ଏପରି ବୟାନକୁ ନେଇ କଂଗ୍ରେସ ଓ ଏନସିପିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନ୍ୟପକ୍ଷରେ ମହାରାଷ୍ଟ୍ର ବିଜେପି ସଭାପତି କହିଛନ୍ତି ଯେ ସିନ୍ଧେ ଓ ଅନ୍ୟ ବିଧାୟକମାନଙ୍କ ବିଦ୍ରୋହ ଶିବସେନାର ଆଭ୍ୟନ୍ତରୀଣ ବ୍ୟାପାର, ଆମେ ସେଥିରେ ମୁଣ୍ଡ ଖେଳାଉନାହିଁ ଅଥବା ସିନ୍ଧେ ଆମ ସହ ଯୋଗାଯୋଗରେ ନାହାନ୍ତି । ଅଥଚ ଗୋଆର ବିଜେପି ମୁଖ୍ୟମନ୍ତ୍ରୀ କହିଛନ୍ତି ମହାରାଷ୍ଟ୍ର ବିଜେପି ନେତା ଦେବେନ୍ଦ୍ର ଫର୍ଣ୍ଣଡାଭିସ ବିଦ୍ରୋହୀ ବିଧାୟକଙ୍କ ଉପରେ ନଜର ରଖିଛନ୍ତି, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ସବୁକଥା ଉପରେ ଦୃଷ୍ଟି ରଖିଛନ୍ତି – ଯାହା କରିବା କଥା ଦେବେନ୍ଦ୍ର ଫର୍ଣ୍ଣଦ୍ଭିସ କରିବେ !

Leave A Reply

Your email address will not be published.