ଦେଶରେ ୨୧ ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ କରିଛି ଇଉନିଭରସିଟି ଗ୍ରାଣ୍ଟ କମିଶନ। ଇଉଜିସି ପକ୍ଷରୁ ଜାରି କରାଯାଇଥିବା ଏହି ତାଲିକାରେ ଓଡ଼ିଶାର ୨ଟି ନକଲି ବିଶ୍ୱବିଦ୍ୟାଳୟ ଥିବା ଦର୍ଶାଯାଇଛି। ସେହି ୨ ତଥାକଥିତ ବିଶ୍ୱବିଦ୍ୟାଳୟ ହେଉଛି – ରାଉରକେଲାର ନବଭାରତ ଶିକ୍ଷା ପରିଷଦ ଓ ମୟୂରଭଞ୍ଜର ଉତ୍ତର ଓଡ଼ିଶା କୃଷି ଓ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ।
ଦିଲ୍ଲୀରେ ସର୍ବାଧିକ ୮ଟି ନକଲି ବିଶ୍ୱବିଦ୍ୟାଳୟ ଚାଲୁଥିବା ବେଳେ ଉତ୍ତର ପ୍ରଦେଶରେ ୪ଟି, ପଶ୍ଚିମବଙ୍ଗରେ ୨ଟି, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ ଓ ଆନ୍ଧ୍ରରେ ଗୋଟିଏ ଲେଖାଏଁ ନକଲି ବିଶ୍ୱବିଦ୍ୟାଳୟ ଥିବା ସୂଚାଇଛନ୍ତି।
ଏହିସବୁ ତଥାକଥିତ ବିଶ୍ୱବିଦ୍ୟାଳୟ କୌଣସି ଡିଗ୍ରୀ ପ୍ରଦାନ କରିପାରିବେ ନାହିଁ ବୋଲି ଦର୍ଶାଇ ଇଉଜିସି ସଚିବ ପ୍ରଫେସର ରଜନୀଶ ଜୈନ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ସେସବୁ ନକଲି ବିଶ୍ଵବିଦ୍ୟାଳୟରେ ନାମ ଲେଖାଇଲେ ସେଥିପାଇଁ କମିଶନ ଦାୟୀ ରହିବ ନାହିଁ ।