ଦଳରୁ ବିଦାକଲେ ଥାକରେ, କୁଆଡେ ଯିବେ ସିନ୍ଦେ

ବିଜେପି ସହଯୋଗରେ ମୁଖ୍ୟମନ୍ତ୍ରୀ ହୋଇଥିବା ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କୁ ଦଳରୁ ବିଦା କରିଛନ୍ତି ଦଳପ୍ରମୁଖ ଉଦ୍ଧବ ଥାକରେ।

ଦଳ ପକ୍ଷରୁ ଏ ବାବଦରେ ଚିଠି ଜାରି କରାଯାଇଛି ।

ଏଥିରେ କୁହାଯାଇଛି ଯେ, ସିନ୍ଦେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ଶିବସେନା ପ୍ରମୁଖ ଭାବେ ଉଦ୍ଧବ ଥାକରେଙ୍କ ଉପରେ ନ୍ୟସ୍ତ ହୋଇଥିବା କ୍ଷମତା ଅନୁଯାୟୀ ସେ ଏକନାଥ ସିନ୍ଦେଙ୍କୁ ଶିବସେନାରୁ ବିଦା କରିଛନ୍ତି ।

ଏହାରି ଭିତରେ ଆଜି ଗୋଆରେ ଥିବା ବିଦ୍ରୋହୀ ବିଧାୟକମାନେ ମୁମ୍ବାଇ ଫେରିବେ ।

ଏଥିପାଇଁ ଗୋଆରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ହେଲେ ସେମାନେ କେଉଁ ଦଳର ବିଧାୟକ ଭାବେ ବିଧାନସଭାରେ ବସିବେ ତାହା ଏବେ ପ୍ରଶ୍ନ ହୋଇଛି।

ସେପଟେ ଆସନ୍ତା ୪ ତାରିଖରେ ଆସ୍ଥା ଭୋଟର ସମ୍ମୁଖୀନ ହେବ ମହାରାଷ୍ଟ୍ରର ନୂଆ ସରକାର ଓ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ।

ରାଜ୍ୟପାଳ ଜୁଲାଇ ୩ ଓ ୪ ତାରିଖ ଦୁଇ ଦିନ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି ।

ସିନ୍ଦେ କହିଛନ୍ତି ଯେ ତାଙ୍କ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି ।

ଏହାରି ମଧ୍ୟରେ ବିଜେପି ବିଧାୟକ ରାହୁଲ ନର୍ବେକର ବିଧାନସଭା ବାଚସ୍ପତି ପଦ ପାଇଁ ଆବେଦନ କରିଛନ୍ତି ।

ଜୁଲାଇ ୩ ତାରିଖରେ ଏହି ପଦ ପାଇଁ ନିର୍ବାଚନ ହେବ ।

ଗତବର୍ଷ ଫେବ୍ରୁଆରୀରେ କଂଗ୍ରେସର ନାନା ପାଟୋଲେ ଇସ୍ତଫା ଦେବା ପରଠାରୁ ଏହି ପଦବୀ ଖାଲି ପଡ଼ିଛି ।

Leave A Reply

Your email address will not be published.