ଉତ୍ତରାଖଣ୍ଡର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ବହୁଗୁଣା ପୋଲିସ ଓ ଲୋକଙ୍କ ସାମ୍ନାରେ ନିଜକୁ ଗୁଳିକରି ହତ୍ୟା କରିଛନ୍ତି।
ଗତ ରବିବାର ଦିନ ତାଙ୍କ ବିରୋଧରେ ନିଜ ନାତୁଣୀ ସହ ଯୌନ ଅସଦାଚରଣ ଅଭିଯୋଗ କରି ତାଙ୍କ ବୋହୂ ଏକ ମାମଲା ଦାୟର କରିଥିଲେ।
ଏଭଳି ଏକ ମିଥ୍ୟା ଯୌନ ଉତ୍ପୀଡନ ଆରୋପ ଫଳରେ ସେ ମାନସିକ ଭାବରେ ଭାଙ୍ଗି ପଡିଥିଲେ।
ଅଭିଯୋଗ ଦାୟର ହେବାର ୩ ଦିନ ପରେ ସେ ନିଜ ହଳଦବଣି ବାସଭବନରୁ ଥାନାକୁ ଫୋନକରି କହିଥିଲେ ଯେ ତାଙ୍କ ବିରୋଧରେ ହୋଇଥିବା ଅଭାବନୀୟ ମିଥ୍ୟା ଅଭିଯୋଗ ସହ୍ଯ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ, ତେଣୁ ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି।
ପୋଲିସ ତାଙ୍କ ବାସଭବନ ନିକଟରେ ପହଞ୍ଚିବାବେଳକୁ ରାଜେନ୍ଦ୍ର ଏକ ପାଣି ଟାଙ୍ଗି ଉପରକୁ ଚଢିଯାଇଥିଲେ ଓ ନିଜକୁ ଗୁଳି କରି ଶେଷ କରିଦେବେ ବୋଲି କହିଥିଲେ।
ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରାଯାଇଛି ଓ ଏହା ତାଙ୍କପାଇଁ ଅସହ୍ୟ ବୋଲି ସେ ବାରମ୍ବାର କହୁଥିଲେ। ତଳକୁ ଓହ୍ଲାଇ ଆସିବାକୁ ସେଠାରେ ଜମା ହୋଇଥିବା ସ୍ଥାନୀୟ ଲୋକେ ଏବଂ ପୋଲିସର ଅନୁରୋଧକୁ କର୍ଣ୍ଣପାତ ନକରି ଶ୍ରୀ ବହୁଗୁଣା ସମସ୍ତଙ୍କ ଆଖି ଆଗରେ ନିଜକୁ ଗୁଳିକରି ହତ୍ୟା କରିଦେଇଥିଲେ।
ତଳକୁ ଓହ୍ଲାଇ ଆସ ବୋଲି ସମସ୍ତେ କହୁଥିଲେ ମଧ୍ୟ ରାଜେନ୍ଦ୍ର କିଛି ଶୁଣି ନଥିଲେ।
ଏଭଳି ଦୁଃଖଦ ଘଟଣା ପରେ ବହୁଗୁଣାଙ୍କ ପୁତ୍ର ନିଜ ପତ୍ନୀ, ଶ୍ଵଶୁର ଓ ଜଣେ ପଡୋଶୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି, ଏମାନେ ଷଡ଼ଯନ୍ତ୍ର କରି ତାଙ୍କ ପିତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛନ୍ତି ବୋଲି ସେ ଦର୍ଶାଇଛନ୍ତି ।