ଆଜି ସକାଳୁ ରାଷ୍ଟ୍ରୀୟ ଜନତା ଦଳର ୨ ରାଜ୍ୟସଭା ସାଂସଦ ଓ ଜଣେ ବିଧାନ ପରିଷଦ ସଦସ୍ୟଙ୍କ ଘରେ ଚଢ଼ାଉ କରିଛି ସିବିଆଆଇ, ବିହାରରେ ବିଜେପିକୁ ସରକାରରୁ ହଟାଇ ନୀତଶ କୁମାର ଆରଜେଡି ଓ ଏହାର ସହଯୋଗୀ ମେଣ୍ଟ ଦଳ ସହ ମିଶି ନୂଆ ସରକାର ଗଠନ କରିବା ପରେ ବିଜେପିର କେନ୍ଦ୍ରୀୟ ନେତାମାନେ ରାଗରେ କୁହୁଳୁଥିଲେ – ଆଜିର ସିବିଆଆଇ ଚଢ଼ାଉ ତାହାର ଅନୁଚିତ ପ୍ରତିକ୍ରିୟା ବୋଲି କୁହାଯାଉଛି।
ତେଜସ୍ଵୀ ଯାଦବଙ୍କ ଘନିଷ୍ଠ ସହଯୋଗୀ ଆରଜେଡି ରାଜ୍ୟସଭା ସାଂସଦ ଅସଫାକ୍ କରିମ ଓ ଡ. ଫୟାଜ ଅହମଦ୍ ଏବଂ ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂହଙ୍କ ଘରେ ଆଜି ସକାଳୁ ହୋଇଥିବା ଚଢ଼ାଉ ଉପରେ ପ୍ରତିକ୍ରିୟା ପ୍ରକାଶ କରି ତେଜସ୍ଵୀଙ୍କ ମା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରୀ ଦେବୀ କହିଛନ୍ତି ଯେ ଆରଜେଡି ନେତା ଓ କର୍ମୀମାନଙ୍କୁ ଡରାଇବା ପାଇଁ ଏପରି କରାଯାଉଛି, ରାଜ୍ୟରେ ଏବେ ଏକ ନୂଆ ସରକାର ଗଠନ ହୋଇଛି – ବିଜେପିକୁ ଛାଡି ସବୁ ଦଳ ସରକାର ସହିତ ଅଛନ୍ତି, ଏମିତି କେତେ ଚଢ଼ାଉ ଆମେ ଦେଖି ସାରିଲୁଣି – ଏଥିରେ ଡରିବାର ନାହିଁ !
ପାଟଣାରେ ସୁନୀଲ ସିଂହଙ୍କ ଘରେ ଚଢ଼ାଉ ହେବାପରେ ଶ୍ରୀ ସିଂହ ଟ୍ଵିଟ କରି କହିଛନ୍ତି ଯେ ଏସବୁ ଉଦ୍ଦେଶ୍ୟମୂଳକ ଭାବେ କରାଯାଉଛି, ଏମିତି କଲେ ଆମ ବିଧାୟକମାନେ ଭୟକରି ବିଜେପିରେ ଯୋଗଦେବେ ବୋଲି ସେମାନେ ଭାବୁଛନ୍ତି !
ସିବିଆଆଇ, ଇଡି ଓ ଇନକମଟ୍ଯାକ୍ସକୁ ବିଜେପିର ସହଯୋଗୀ ମେଣ୍ଟ ଭାବେ ଅଭିହିତ କରି ଗତକାଲି ରାତିରେ ଆରଜେଡିର ଜନୈକ ମୁଖପାତ୍ର ଟ୍ଵିଟ କରିଥିଲେ ଯେ ବିଜେପି ବିହାରରେ କ୍ଷମତାରୁ ତଡା ଖାଇଲା ପରେ ଏମାନେ ପ୍ରତିଶୋଧ ପରାୟଣ ହୋଇ ଚଢ଼ାଉ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି !
ଆରଜେଡିର ଏପରି ପ୍ରତିକ୍ରିୟାର ଜବାବ ଦେଇ ବିଜେପି ନେତା ଅଶୋକ ସିହ୍ନା କହିଛନ୍ତି ଯେ ଦୁର୍ନୀତିଗ୍ରସ୍ତ ରାଜନେତାଙ୍କ କଳା କାରନାମାର ପର୍ଦ୍ଦାଫାସ କରିବାକୁ ସିବିଆଆଇ ଚଢ଼ାଉ କରୁଛି !
ଲାଲୁ ପ୍ରସାଦ ଯାଦବ କେନ୍ଦ୍ରରେ ରେଳମନ୍ତ୍ରୀ ଥିବା ସମୟରେ ରେଳବାଇରେ ନିଯୁକ୍ତି ଦେବାପାଇଁ ବ୍ଯାପକ ଦୁର୍ନୀତି ହୋଇଥିବାର ଅଭିଯୋଗକୁ ନେଇ ଗତ ମଇ ମାସରେ ସିବିଆଆଇ ତନାଘନା କରିଥିଲା, ମାତ୍ର ତଦନ୍ତରୁ କିଛି ମିଳିନଥିଲା, ଜୁନ ମାସରେ ଲାଲୁଙ୍କ ସହଯୋଗୀ ଭୋଲା ଯାଦବଙ୍କୁ ଗିରଫ କରିଥିଲା !
ଭୋଲାଙ୍କୁ ଜେରା କରାଯାଇଥିବା ବେଳେ ମିଳିଥିବା ସୂଚନା ଭିତ୍ତିରେ ଆଜି ଏହି ଚଢ଼ାଉ କରାଯାଉଛି ବୋଲି ସିବିଆଆଇ ପକ୍ଷରୁ କୁହାଯାଇଛି।