କେନ୍ଦ୍ରକୁ ସୁପ୍ରିମକୋର୍ଟ ଛାଟ : ସରକାରଙ୍କ ନୀତିକୁ ସମାଲୋଚନା କରିପାରିବ ଗଣମାଧ୍ୟମ

ସରକାରଙ୍କ ନୀତିକୁ ସମାଲୋଚନା କରୁଥିବା କୌଣସି ଗଣମାଧ୍ୟମ ସଂସ୍ଥାନକୁ ଦେଶ ବିରୋଧୀ କୁହାଯାଇ ପାରିବ ନାହିଁ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ, ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ‘ମିଡିଆୱାନ୍‌’ ମାମଲାରେ ରାୟ ଦେଇ ଆଜି ଏପରି କହିଛନ୍ତି ! ଏହି ଘଟଣାରେ ଅଯଥା ଜାତୀୟ ନିରାପତ୍ତା ବିପନ୍ନ କଥା ଉଠାଉଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ମଧ୍ୟ ଖଣ୍ଡପୀଠ ଭର୍ତ୍ସନା କରିଛନ୍ତି।

ମାଲାୟଲମ ଟେଲିଭିଜନ ଚ୍ୟାନେଲର ପ୍ରସାରଣ ଲାଇସେନ୍ସ ଉପରେ କେନ୍ଦ୍ର ସରକାର ଜାରିକରିଥିବା ନିଷେଧାଦେଶକୁ ଆଜି ରଦ୍ଦକରି ସୁପ୍ରିମକୋର୍ଟ କହିଛନ୍ତି ଯେ ସରକାରଙ୍କ ସମାଲୋଚନା ଦେଶ ବିରୋଧୀ କାର୍ଯ୍ୟ ନୁହେଁ ! ଉଲ୍ଲେଖଯୋଗ୍ୟ ଯେ, ମାଲାୟଲମ ନ୍ୟୁଜ୍ ଚ୍ୟାନେଲ ‘ମିଡିଆ ୱାନ୍’ର ସିକ୍ୟୁରିଟି କ୍ଲିୟରାନ୍ସ ଉପରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜାରି କରିଥିବା ନିଷେଧାଦେଶ ବିରୋଧରେ ଚାନେଲ ପକ୍ଷରୁ କେରଳ ହାଇକୋର୍ଟରେ ମଧ୍ୟ ଆବେଦନ କରାଯାଇଥିଲା, ମାତ୍ର ହାଇକୋର୍ଟ କେନ୍ଦ୍ରର ନିଷେଧାଦେଶକୁ କାୟମ ରଖିଥିଲେ।

ଏହା ଉପରେ ଚାନେଲ ପକ୍ଷରୁ ସୁପ୍ରିମକୋର୍ଟ ଅପିଲ ଦାୟର କରାଯାଇଥିଲା। କୌଣସି ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ ଆଧାର ବ୍ଯତିରେକ ଜାତୀୟ ସୁରକ୍ଷାର ଆଳ ଦେଖାଇ ଚ୍ୟାନେଲ ଉପରେ କଟକଣା ଲଗାଯାଇ ପାରିବନି ବୋଲି କହିଛନ୍ତି ଉଚ୍ଚତମ ନ୍ୟାୟାଳୟ, ସରକାରଙ୍କ ସମାଲୋଚନା କୌଣସି ଟେଲିଭିଜନ ଚ୍ୟାନେଲର ଲାଇସେନ୍ସ ରଦ୍ଦ କରାଯିବାର କାରଣ ହୋଇ ନ ପାରେ ବୋଲି ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି।

Leave A Reply

Your email address will not be published.