୧୧ ନରପିଶାଚ ଖଲାସ ମାମଲା : ଗୁଜରାଟ ଓ କେନ୍ଦ୍ରକୁ ସୁପ୍ରିମକୋର୍ଟର ନୋଟିସ
ଗୁଜରାଟରେ ୨୦୦୨ ମାର୍ଚ୍ଚ ୩ ତାରିଖରେ ଘଟିଥିବା ରୋମହର୍ଷଣକ ବିଲକିସ ବାନୋ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ ନରପିଶାଚଙ୍କୁ ଗତ ଅଗଷ୍ଟ ୧୫ ତାରିଖରେ ଜେଲରୁ ଖଲାସ କରାଯିବା ବିରୋଧରେ ହୋଇଥିବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ପରେ କୋର୍ଟ ଉଭୟ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ ହେବ ବୋଲି କୋର୍ଟ କହିଛନ୍ତି ।
ଏହି ୧୧ ନରପିଶାଚଙ୍କୁ ଛାଡ଼ କରାଯିବା ବିରୋଧରେ ସାରା ଦେଶ କଟୁ ସାମଲୋଚନା କରୁଛି । କେବଳ ବିରୋଧୀ ନୁହଁନ୍ତି ବରଂ କିଛି ବିଜେପି ନେତା ବି ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସ୍ୱର ଉଠାଇଛନ୍ତି ।
ସିପିଆଇ(ଏମ) ନେତ୍ରୀ ସୁଭାଷୀନି ଅଲ୍ଲୀଙ୍କ ସମେତ ୪ ସାମାଜିକ କର୍ମୀ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏନେଇ ଆଜି କୋର୍ଟ ଶୁଣାଣି କରି କହିଛନ୍ତି ଯେ ପ୍ରଥମେ ଦେଖିବାକୁ ପଡିବ ଗୁଜରାଟ ସରକାରଙ୍କ ନିୟମ ମୁତାବକ ଏହି ଦୋଷୀମାନଙ୍କୁ ଛାଡ କରାଯିବା ଉଚିତ୍ କି ନୁହେଁ । ଏହାସହ ସୁପ୍ରିମକୋର୍ଟ ଏନେଇ କେନ୍ଦ୍ର ଓ ଗୁଜୁରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମାମଲାର ବିଚାର ଗୁଜରାଟ ବଦଳରେ ମୁମ୍ବାଇରେ ହୋଇଥିଲା ଓ ସ୍ଵତନ୍ତ୍ର ସିବିଆଆଇ କୋର୍ଟ ୨୦୦୮ ମସିହାରେ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ, ସିବିଆଆଇ କୋର୍ଟର ଆଦେଶ ବିରୋଧରେ ମୁମ୍ବାଇ ହାଇକୋର୍ଟରେ ଅପିଲ କରାଯାଇଥିଲା, ମାତ୍ର ହାଇକୋର୍ଟ ଦଣ୍ଡାଦେଶକୁ କାୟେମ ରଖିଥିଲେ।
କିଛିଦିନ ତଳେ ୧୧ ଅପରାଧୀଙ୍କ ମଧ୍ୟରୁ ଜଣେ ଛାଡ ପାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ କୋର୍ଟ ଛାଡ ନିଷ୍ପତ୍ତିକୁ ଗୁଜରାଟ ସରକାରଙ୍କ ଉପରେ ଛାଡି ଦେଇଥିଲେ । ଗୁଜରାଟ ସରକାର ଏଥିପାଇଁ ଏକ କମିଟି ଗଠନ କରିଥିଲେ ଓ ଏହି କମିଟିର ରିପୋର୍ଟ ଆଧାରରେ ସମସ୍ତ ଦୋଷୀଙ୍କୁ ଖଲାସ କରି ଦେଇଥିଲେ ।