ପବଜୀ ପାଗଳ ପୁଅ ହତ୍ୟାକଲା ମା’କୁ

ପବଜୀ ଖେଳିବାକୁ ମନା କରିବାରୁ ମା’କୁ ଗୁଳିକରି ହତ୍ୟା କରିଛି ପୁଅ, ଏମିତି ଏକ ହୃଦୟ ବିଦାରକ ଖବର ସରା ଦେଶରେ ଚହଳ ପକାଇ ଦେଇଛି। ଘଟଣାଟି ଘଟିଛି ଲକ୍ଷ୍ନୌରେ । ପବଜୀ ଖେଳପାଇଁ ମନା କରିବାରୁ ଅତି ନିର୍ଦ୍ଦୟ ଭାବେ ମା’ର ପ୍ରାଣ ନେଇଛି ନାବାଳକ ପୁଅ, ହତ୍ୟା କରିବା ପରେ ୨ ଦିନ ପର୍ଯ୍ୟନ୍ତ ମା’ର ମୃତଦେହକୁ ଘର ଭିତରେ ଲୁଚାଇ ରଖିଥିଲା। ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ପାଖ ପଡୋଶୀ ପୋଲିସକୁ ସୂଚନା ଦେଇଥିଲେ । ଆଉ ପୋଲିସ ପହଞ୍ଚିବା ପରେ ପୂରା ଘଟଣା ଉପରୁ ପରଦା ହଟିଥିଲା।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଲକ୍ଷ୍ନୌର ପିଜିଆଇ ଅଞ୍ଚଳରେ ସାଧନା ସିଂ ନିଜର ୧୬ ବର୍ଷର ପୁଅ ଓ ୧୦ ବର୍ଷର ଝିଅ ରୁହନ୍ତି । ସାଧନାଙ୍କ ସ୍ୱାମୀ କୋଲକାତାରେ ସେନାରେ କାର୍ଯ୍ୟରତ ଅଛନ୍ତି । ମା’ଙ୍କ ସହ ରହୁଥିବା ପୁଅ ଅନଲାଇନ ମୋବାଇଲ ଗେମ୍ ପବଜୀ ଖେଳରେ ପୂରା ପାଗଳ ଥିଲା । ପବଜୀ ଖେଳିବାକୁ ବାରମ୍ବାର ବାରଣ ସତ୍ତ୍ଵେ ପୁଅ ସେଥିପ୍ରତି କର୍ଣ୍ଣପାତ କରୁନଥିଲା ଓ ଏଥିପାଇଁ ମା’ଙ୍କ ସହ ଝଗଡା କରୁଥିଲା । ଗତ ରବିବାର ଯେତେବେଳେ ପୁଅକୁ ପବଜୀ ଖେଳିବାକୁ ମା’ ମନା କରିଥିଲେ ସେତେବେଳେ ଏଥିରେ ଉତ୍ତ୍ୟକ୍ତ ହୋଇ ବାପାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ମା’ଙ୍କୁ ଗୁଳି ମାରିଥିଲା ପୁଅ । ଆଉ ଘଟଣାସ୍ଥଳରେ ହିଁ ସାଧନାଙ୍କର ମୃତ୍ୟୁ ହୋଇଥିଲା ।

ମା’ଙ୍କ ହତ୍ୟା କରିବା ପରେ ସାନଭଉଣୀକୁ ଧମକାଇବା ସହ ଗୋଟିଏ ଘରେ ତାଲା ପକାଇ ଦେଇଥିଲା ପବଜୀ ପାଗଳ। ଆଉ ନିଜେ ମା’ଙ୍କ ଶବକୁ ଜଗି ବସିଥିଲା ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଉଭୟ ଭାଇ-ଭଉଣୀଙ୍କୁ ଉଦ୍ଧାର କରିଥିଲା । ଜେରା କରିବା ପରେ ସବୁ ସତ ମାନିଥିଲା ପୁଅ ।

ଏଭଳି ଏକ ଦାରୁଣ ଘଟଣା ସାରା ଦେଶରେ ଚାଞ୍ଚଲ୍ଯ ସୃଷ୍ଟି କରିଛି।

Leave A Reply

Your email address will not be published.