ସିଦ୍ଧରମେୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଉପମୁଖ୍ଯମନ୍ତ୍ରୀ ହେବେ ଶିବକୁମାର

କର୍ଣ୍ଣାଟକରେ କଂଗ୍ରେସର ବିଧାନସଭା ବିଜୟ ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ୪ ଦିନଧରି ଚାଲିଥିବା କସରତର ଅବସାନ ଘଟିଛି, ଆଜି ଦଳୀୟ ରାଜନୈତିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ରାଜ୍ୟରେ କଂଗ୍ରେସ ସରକାରର ନେତୃତ୍ୱ ନେବେ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନ୍ଯତମ ପ୍ରମୁଖ ଦାବିଦାର ଦଳର ରାଜ୍ୟ ସଭାପତି ଡି କେ ଶିବକୁମାର ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ ଉପମୁଖ୍ଯମନ୍ତ୍ରୀ ହେବେ ବୋଲି କୁହାଯାଇଛି । ଗତକାଲି ସେ ଦିଲ୍ଲୀରେ ପହଞ୍ଚି ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବା ପରେ ସମଧାନର ସୂତ୍ର ବାହାରିଥିବା କୁହାଯାଇଛି। ଶିବକୁମାର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ଭାବେ ଦଳକୁ ନେତୃତ୍ୱ ଦେବାରେ ଶ୍ରୀ ସିଦ୍ଧରମେୟା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଆସିଛନ୍ତି, ସେ କେବେହେଲେ ନିଜର ବ୍ଯକ୍ତିଗତ ସ୍ଵାର୍ଥ ପ୍ରତି ଧ୍ଯାନ ଦେଇନାହାନ୍ତି।

ନିର୍ବାଚନରେ ପରାଜୟ ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଦାୟିତ୍ୱରୁ ବାସବରାଜ ବୋମାଇ ଇସ୍ତଫା ପ୍ରଦାନ କରି କଂଗ୍ରେସ ପ୍ରତି କଟାକ୍ଷ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ବାଛିବାରେ ହେଉଥିବା ବିଳମ୍ବରୁ ଦଳ ଭିତରେ ଥିବା ଆଭ୍ୟନ୍ତରୀଣ କନ୍ଦଳ ପଦାରେ ପଡିଯାଇଛି। ଏହାର ଉତ୍ତର ଦେଇ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ବିଜେପି ନେତାମାନେ ଭୁଲି ଯାଉଛନ୍ତି ଆସାମ ଓ ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ବାଛିବାରେ ସେମାନେ କେତେ ବିଳମ୍ବ କରିଥିଲେ !!

Leave A Reply

Your email address will not be published.