ଆତ୍ମସମର୍ପଣ କରିବେ ଅତିକଙ୍କ ପତ୍ନୀ ଶାହିସ୍ତା ପରବୀନ

ଗତ ଶନିବାର ଦିନ ପୋଲିସ କର୍ଡନ ଭିତରେ ହତ୍ୟାର ଶିକାର ହୋଇଥିବା ଗ୍ୟାଙ୍ଗଷ୍ଟର ଅତିକ ଅହମଦଙ୍କ ପତ୍ନୀ ଶାହିସ୍ତା ପରବୀନ ଆଜି ପ୍ରୟାଗରାଜଠାରେ ପୋଲିସ୍‌ କିମ୍ବା କୋର୍ଟରେ ଆତ୍ମସମର୍ପଣ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ପୂର୍ବରୁ ଗତ ସପ୍ତାହରେ ଶାହିସ୍ତାଙ୍କ ୧୯ ବର୍ଷ ବୟସ୍କ ପୁଅ ଅସଦକୁ ଉତ୍ତର ପ୍ରଦେଶ ପୋଲିସର ସ୍ପେଶାଲ ଟାସ୍କଫୋର୍ସ ଏନକାଉଣ୍ଟର କରି ହତ୍ୟା କରିଥିଲା।
ଟିଭି ରିପୋର୍ଟ ଅନୁସାରେ, ପ୍ରୟାଗରାଜରେ ଶାହିସ୍ତା ପରବୀନ ଆତ୍ମସମର୍ପଣ କରିବା ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ,ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଉମେଶ ପାଲ ହତ୍ୟାକାଣ୍ଡ ଘଟଣାରେ ଶାହିସ୍ତାଙ୍କୁ ଅଭିଯୁକ୍ତା ଭାବେ ଦର୍ଶାଯିବା ପରେ ସେ ଫେରାର ରହିଛନ୍ତି। ପ୍ରଥମେ ତାଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ଉତ୍ତର ପ୍ରଦେଶ ସରକାର ୨୫ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ପରେ ଏହି ରାଶିକୁ ୫୦ ହଜାରକୁ ବୃଦ୍ଧି କରାଯାଇଛି।

୨୦୦୫ ମସିହାରେ ତତ୍କାଳୀନ ବିଏସପି ବିଧାୟକ ରାଜୁ ପାଲଙ୍କୁ ଅତିକ ଅହମଦ ଓ ତାଙ୍କ ଗ୍ୟାଙ୍ଗର ସଦସ୍ୟମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ମୁଖ୍ୟସାକ୍ଷୀ କୁହାଯାଉଥିବା ଆଇନଜୀବୀ ଉମେଶ ପାଲଙ୍କୁ ଚଳିତ ବର୍ଷ ଫେବୃଆରୀ ୨୪ରେ ଅତିକଙ୍କ ପୁଅ ଅସଦ ଓ ଗ୍ୟାଙ୍ଗର କିଛି ସଦସ୍ୟ ଗୁଳି କରି ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଉମେଶ ପାଲ ଗୁଳିକାଣ୍ଡ ଘଟଣାରେ ଉମେଶଙ୍କ ୨ ଜଣ ଦେହରକ୍ଷୀ ମଧ୍ୟ ପ୍ରାଣ ହରାଇଥିଲେ।
ଉମେଶ ପାଲଙ୍କ ପତ୍ନୀ ଜୟା ପାଲ ଫେବୃଆରୀ ୨୫ରେ ଥାନାରେ ଅଭିଯୋଗ କରିଥିଲେ କି ତାଙ୍କ ସ୍ଵାମୀଙ୍କ ହତ୍ୟାକାଣ୍ଡରେ ଅତିକ ଅହମଦ, ତାଙ୍କ ଭାଇ ଅଶରଫ, ପତ୍ନୀ ଶାହିସ୍ତା, ଦୁଇ ପୁଅ, ଗୁଡ ମୁସଲିମ, ଗୁଲାମ ଓ ଅନ୍ୟ ୯ ଜଣ ସମ୍ପୃକ୍ତ ! ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ପୋଲିସ ଇତିମଧ୍ୟରେ ଗୁଳିକରି ମାରି ସାରିଛି। ଅତିକ ଓ ଅଶ୍ରଫଙ୍କ ରହସ୍ଯଜନକ ହତ୍ୟା ପରେ ଏହି ସଂଖ୍ୟା ୯ ହୋଇଛି।

Leave A Reply

Your email address will not be published.