ଦୀର୍ଘ ୧୦୩ ଦିନ ଜେଲ୍ରେ ରହିବା ପରେ ଶେଷରେ ଗତକାଲି ରାତିରେ ଜେଲ୍ରୁ ମୁକୁଳିଛନ୍ତି ଶିବସେନାର ସାଂସଦ ହେଭିୱେଟ ନେତା ସଞ୍ଜୟ ରାଉତ । ସୂଚନାଯୋଗ୍ୟ ଯେ, ପାତ୍ରା ଚୌଲ୍ ଦୁର୍ନୀତି ମାମଲାରେ ଗତ ଅଗଷ୍ଟ ୧୦ରେ ଇଡି ଦ୍ୱାରା ଗିରଫ ହୋଇଥିଲେ ସେ। ଦୀର୍ଘ ୩ ମାସ ମୁମ୍ବାଇର ଆର୍ଥର ଜେଲ୍ରେ ରହିବା ପରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଗତକାଲି ତାଙ୍କୁ ଜାମିନରେ ଖଲାସ କରିଛନ୍ତି। ଏହି ନିଷ୍ପତ୍ତି ଉପରେ ରୋକ ଲଗାଇବା ପାଇଁ ଇଡି ପକ୍ଷରୁ ସମୟ ମଗା ଯାଇଥିବା ବେଳେ କୋର୍ଟ ଏହାକୁ ପ୍ରତ୍ୟାଖାନ କରି ଦେଇଥିଲେ।
ଅକ୍ଟୋବର ୨୧ରେ ସଞ୍ଜୟଙ୍କ ଜାମିନ ଆବେଦନ ଉପରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ, ଗତକାଲି ତାଙ୍କୁ ଜାମିନରେ ଖଲାସ କରାଯାଇଛି । ଜେଲରୁ ବାହାରିବା ପରେ ସଞ୍ଜୟଙ୍କୁ ଏକ ବିରାଟ ପଟୁଆରରେ ତାଙ୍କ ଘର ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରେ ନିର୍ମାଣ କରାଯାଇଥିବା ମଞ୍ଚରୁ ଶ୍ରୀ ରାଉତ କହିଥିଲେ ଯେ ଗତ ୩ ମାସ ମଧ୍ୟରେ ଶିବସେନାକୁ ଭାଙ୍ଗିବା ଏବଂ ଧ୍ୱଂସ କରିବାକୁ ବହୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଶିବସେନା ଭାଙ୍ଗି ନାହିଁ, ଏହା ଆହୁରି ବଳିୟାନ ହୋଇଉଠିଛି। କେନ୍ଦ୍ରର ବିଜେପି ସରକାରଙ୍କ ଇଙ୍ଗିତରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ସେ କହିଛନ୍ତି୍। ସମର୍ଥକମାନଙ୍କୁ ଉଦବୋଧନ ଦେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ତାଙ୍କୁ ୧୦୩ ଦିନ ଜେଲ୍ରେ ରଖିଥିଲା, ଏବେ ସେ ୧୦୩ ବିଧାୟକଙ୍କୁ ଜିତାଇ ମହାରାଷ୍ଟ୍ର ବିଧାନସଭାକୁ ପଠାଇବେ !