ପେଶୱାର: ପାକିସ୍ତାନର ପେଶୱାରର ପୋଲିସ୍ ଲାଇନ୍ ଅଞ୍ଚଳରେ ଥିବା ଏକ ମସଜିଦରେ ଶକ୍ତିଶାଳୀ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଅନେକ ଲୋକ ଆହତ ହେବା ସହିତ ଖବର ଲେଖା ହେବା ପର୍ଯ୍ୟନ୍ତ ୮୩ ଜଣଙ୍କ ପ୍ରାଣହାନୀ ଘଟିଛି।
ପୋଲିସ କହିଛି ଯେ ଯେତେବେଳେ ଏହି ବିସ୍ଫୋରଣ ଘଟିଲା ସେତେବେଳେ ଅନେକ ଲୋକ ମସଜିଦରେ ପ୍ରାର୍ଥନା ପାଇଁ ଉପସ୍ଥିତ ଥିଲେ। ବିସ୍ଫୋରଣରେ ମସଜିଦର ଏକ ଅଂଶ ଭୁଶୁଡି ପଡ଼ିଛି। ଫଳରେ ଅନେକ ଲୋକ ତଳେ ଚାପି ହୋଇ ରହିଯାଇଛନ୍ତି।
ପାକିସ୍ତାନୀ ଗଣମାଧ୍ୟମ ମୁତାବକ, ଅପରାହ୍ନ ପ୍ରାୟ ୧.୪୦ ସମୟରେ ଜୋହର ପୋଲିସ୍ ଲାଇନ୍ସ ନିକଟରେ ପ୍ରାର୍ଥନା କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ, ସେହି ସମୟରେ ଆଗ ଧାଡିରେ ବସିଥିବା ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ନିଜକୁ ଉଡ଼ାଇ ଦେଇଥିଲା।
ଲେଡି ରିଡିଂ ହସ୍ପିଟାଲର ସୂତ୍ରରୁ ପ୍ରକାଶ ଯେ ୯୩ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଏହି ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ଏବଂ ସମ୍ପୃକ୍ତ ଅଞ୍ଚଳରେ କର୍ଡନ କରାଯାଇଛି। ହସ୍ପିଟାଲର ମୁଖପାତ୍ର ମହମ୍ମଦ ଅସୀମ କହିଛନ୍ତି, ଏ ପର୍ଯ୍ୟନ୍ତ ୧୫୦ ଜଣ ଆହତଙ୍କୁ ଏଠାକୁ ଅଣାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି।
ଏହି ବିସ୍ଫୋରଣ ତେହରିକ-ଇ-ତାଲିବାନ-ପାକିସ୍ତାନ(ଟିଟିପି) ନିଜକୁ ଦାୟୀ କରିଛି। ନିକଟରେ ପ୍ରାଣ ହରାଇଥିବା ଟିଟିପି କମାଣ୍ଡର ଉମର ଖାଲିଦ ଖୁରସାନିର ଭାଇ କହିଛି ଯେ ଭାଇ ମୃତ୍ୟୁର ପ୍ରତିଶୋଧ ପାଇଁ ଆତ୍ମଘାତୀ ହମଲା କରାଯାଇଛି। ଏହାପୂର୍ବରୁ ମଧ୍ୟ ଟିଟିପି ପାକିସ୍ତାନରେ ଅନେକ ଆତ୍ମଘାତୀ ଆକ୍ରମଣ କରି ସାରିଛି।